ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା; ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ରୁଜୁ ମାମଲାରେ ଜବାବ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହାପୂର୍ବରୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଇନଜୀବୀ ଦେବାଶିଷ ହୋତାଙ୍କ ପକ୍ଷରୁ ରୁଜୁ ହୋଇଥିବା ଆବେଦନକୁ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ପାଇଁ ଗ୍ରହଣ କରି ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କୁ କନ୍ଧମାଳର ଚକାପାଦ ଆଶ୍ରମରେ ହତ୍ୟା କରାଯାଇଥିଲା। ତା ପୂର୍ବରୁ ଅଗଷ୍ଟ ୧୫ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିଆରପିଏଫଙ୍କୁ ପ୍ରତ୍ୟାହାର କରାଯାଇଥିଲା। ହତ୍ୟା ଦିନ ସକାଳୁ ସୁରକ୍ଷାରେ ଥିବା ଓଡିଶା ପୋଲିସର ସମସ୍ତ କର୍ମଚାରୀ ଛୁଟିରେ ଚାଲି ଯାଇଥିଲେ। ଏଭଳି ଅନେକ କିଛି କାରଣ ଯୋଗୁଁ ତାଙ୍କ ହତ୍ୟାକାଣ୍ଡ ପଛରେ ମାଓବାଦୀଙ୍କ ହାତ ନଥିବା ଆବେଦନକାରୀ ଦର୍ଶାଇଛନ୍ତି। ଏହି ମାମଲାରେ ଓଡିଶା ସରକାର, ଗୃହ ବିଭାଗ, ପୋଲିସ ଡିଜି, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି।