ନାବାଳିକା ବଳାତ୍କାର ନେଇ ଗୃହରେ ହଙ୍ଗାମା, ବାରମ୍ବାର ଗୃହ ମୁଲତବି, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେପି ଓ କଂଗ୍ରେସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଇଶୃଙ୍ଖଳା ପରିସ୍ଥିତି ଏବଂ ମହିଳା ଓ ନାବାଳିକା ଅସୁରକ୍ଷିତ ନେଇ ଆଜି ପୁଣି ବିଧାନସଭାରେ ହୋହଲ୍ଲା କରିଛନ୍ତି ବିଜେପି ଓ କଂଗ୍ରେସ । ଦିନକୁ ଦିନ ନାବାଳିକା ଏବଂ ମହିଳାଙ୍କ ଉପରେ ହିଂସା ବଢ଼ିବାରେ ଲାଗିଛି ।
ସେହିପରି ଗତ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ୫ଶହରୁ ଉର୍ଦ୍ଧ୍ୱ ଝିଅ ନିଖୋଜ ହେବା, ରାଜ୍ୟରେ ନାରୀ ସୁରକ୍ଷା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଗୃହରେ ହଟ୍ଟଗୋଳ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବି ଘୋଷଣା କରିଥିଲେ । ହେଲେ ପୁଣି ଗୃହ ଚାଲିବା ମାତ୍ରେ ବିରୋଧୀ ଆଇନ ଶୃଙ୍ଖଳା ନେଇ ଶାସକ ଦଳକୁ ଘେରିଛନ୍ତି ।
ଆଜି ବିଧାନସଭା ଆରମ୍ଭରୁ ହିଁ ଏନେଇ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଫଳରେ ଦିନ ୩ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ । ତେବେ ଏହି କାରଣରୁ ଗତକାଲି ବିଧାନସଭା ହୁଲୁସ୍ତୁଲୁ ହୋଇଥିବା ବେଳେ ଆଜିବି ଏକ ପ୍ରକାର ଗୃହ ଅଚଳ ହୋଇ ପଡ଼ିଛି । ଉଭୟ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ହଙ୍ଗାମା କରିଛନ୍ତି ।