ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଟମାଟୋ ମାଡ଼ କରି କଲେ ବିରୋଧ ପ୍ରଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୁଣି ଟାର୍ଗେଟ ରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ଭୁବନେଶ୍ବର ରେ ମୁଖ୍ୟମନ୍ତ୍ରୀ ଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା ଓ ବିଜେପୁର ଉପନିର୍ବାଚନ ପ୍ରଚାର ଅଭିଭାଷଣ ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ଉପରକୁ ହୋଇଥିଲା ଚପଲ ମାଡ଼ ମାତ୍ର ସୌଭାଗ୍ୟ ବଶତଃ ଏହା ତାଙ୍କ ଦେହରେ ବାଜିନଥିଲା। ଏହି ପରି ଘଟଣାର ପୁନରାବୃତ୍ତି ଘଟିଛି ପୁରୀରେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ରଥଯାତ୍ରା ପାଇଁ ଆୟୋଜିତ ଶେଷ ସମନ୍ୱୟ ବୈଠକରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରେ ହୋଇଛି ଟମାଟୋ ମାଡ଼ । ଚକ୍ରତୀର୍ଥ ରୋଡ୍ ଆରଟିଓ ଅଫିସ୍ ଆଗରେ ଏହି ଟମାଟୋ ମାଡ଼ କରା ଯାଇଥିବାବେଳେ କଂଗ୍ରେସ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା।

ପୁରୀ ରଥଯାତ୍ରା ପାଇଁ ଅନ୍ତିମ ସମନ୍ୱୟ କମିଟି ବୈଠକ ଆଜି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଶ୍ରୀଜିଉଙ୍କ ନୀତିକାନ୍ତି ସହ ରାସ୍ତାଘାଟର ମରାମତି, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ, ଗମନାଗମନ ଓ ରେଳ ବ୍ୟବସ୍ଥା ସହିତ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥାର ଆଦି ର ସମୀକ୍ଷା ହୋଇଛି । ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସହିତ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆର୍‌ଡିସି, ପୋଲିସ୍‌ ମହାନିର୍ଦ୍ଦେଶକ ଓ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ଯ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ କେତେକ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା। ଜଗନ୍ନାଥ ସେନା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଶ୍ରୀମନ୍ଦିର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୋଲିସ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ ଅଟକ ରଖିଛି।  ସେହିପରି ଲୁଲୁ ସେନା ପକ୍ଷରୁ ମଧ୍ୟ ନବୀନଙ୍କ ଗସ୍ତକୁ ବିରୋଧ କରାଯାଇଥିବାରୁ  ସେମାନଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି।

Leave a comment