ଖୋଲିଲା ପଶ୍ଚିମ ଦ୍ୱାର, ପରିଚୟପତ୍ର ଦେଖାଇ ପ୍ରବେଶ କଲେ ପୁରୀ ବାସିନ୍ଦା
ଆଜି ଶ୍ରୀମନ୍ଦିରରେ ଖୋଲିଲା ପଶ୍ଚିମ ଦ୍ୱାର। ଏଣିକି ମହାପ୍ରଭୁଙ୍କ ଦର୍ଶନରେ ବାଧକ ସାଜିବନି ଲମ୍ବା ଧାଡ଼ି । ଏବେ ପୁରୀ ବାସିନ୍ଦା ନିଜ ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ସିଧାସଳଖ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ସୋମବାର ସକାଳୁ ଏହି ନିୟମ କାର୍ଯ୍ୟକାରୀ ହୋଇଛି ।
ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଗତ କିଛି ଦିନ ହେବ ଜୋର ଧରିଥିବା ଦାବି ଏହି ଘୋଷଣା ସହ ଆଂଶିକ ଭାବେ ସଫଳ ହୋଇପାରିଛି ।
ପ୍ରାରମ୍ଭିକ ଭାବେ ପରୀକ୍ଷାମୂଳକ ଭାବେ ପଶ୍ଚିମ ଦ୍ୱାରରେ ପ୍ରବେଶ ଅନୁମତି ଦିଆଯାଇଛି । ପୁରୀର ଅଧିବାସୀମାନେ ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ପରେ ଅନ୍ୟ ୩ ଦ୍ୱାର ଦେଇ ମଧ୍ୟ ପୁରୀବାସୀଙ୍କୁ ପ୍ରବେଶ ଅନୁମତି ଦେବାକୁ ବିଚାରବିମର୍ଶ ଜାରି ରହିଛି ବୋଲି ସବ୍କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଉତ୍ତର ଏବଂ ଦକ୍ଷିଣ ଦ୍ୱାରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି । ଏଣୁ ଉକ୍ତ ଦୁଇ ଦ୍ୱାରରେ ଭକ୍ତଙ୍କୁ ପ୍ରବେଶ କରାଇବା ବର୍ତ୍ତମାନ ଅସମ୍ଭବ । ଅନ୍ୟ ପକ୍ଷରେ ସିଂହଦ୍ୱାର ଦେଇ ମଧ୍ୟ ପୁରୀବାସୀଙ୍କୁ ପ୍ରବେଶ କରାଇବାକୁ ଯୋଜନା ଚାଲିଛି । ସିଂହଦ୍ୱାରରେ ପୁରୀ ବାସିନ୍ଦାଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ପରେ ଏହି ଅନୁମତି ମିଳିବ ।
ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବା ପରେ ଜିଲ୍ଲାପାଳ, ଏସ୍ପି ଓ ଉପଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଏସ୍ପି ସୁଶୀଲ ମିଶ୍ର, ଟାଉନ୍ ଥାନା ଆଇଆଇସି ସୁନୀଲ ପ୍ରଧାନ, ପରିଚାଳନା କମିଟି ସଦସ୍ୟ, ସବ୍କମିଟି ସଦସ୍ୟ ଓ ବରିଷ୍ଠ ସେବାୟତ ମନ୍ଦିର ଚତୁଃପାଶ୍ୱର୍ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପରେ ଏହି ଘୋଷଣା କରାଯାଇଥିଲା ।