ଗ୍ରାମ ଗୋଟିଏ ଗ୍ରାମବାସୀ ଅଧା-ଅଧା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ରାମ ଗୋଟିଏ । କିନ୍ତୁ ଭୋଟ ବେଳେ ଗ୍ରାମବାସୀଙ୍କୁ ଅଧା-ଅଧା ହେବାକୁ ପଡୁଛି । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଗଞ୍ଜାମ ଜିଲାର ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଳକର କେତେକ ଗ୍ରାମରେ ଏଭଳି ବିଚିତ୍ର ବ୍ୟବସ୍ଥା କେବଳ ନିର୍ବାଚନ ବେଳେ ପରିଲକ୍ଷିତ ହେଉଛି ।

ପାତ୍ରପୁର ବ୍ଳକର ତୁମ୍ବା ଓ ବୁରରାତାଲ ପଞ୍ଚାୟତ ଅଧୀନରେ ଥିବା ତିନିଗୋଟି ଗ୍ରାମ ଗୁଡିଖଳା, କୁଲାଡି, ବାବନା ସାହିର ଲୋକମାନେ ଦୁଇ ରାଜ୍ୟ ଆନ୍ଧ୍ର ଓ ଓଡ଼ିଶାରେ ବିଭିନ୍ନ ନିର୍ବାଚନରେ ଭାଗ ନେଉଛନ୍ତି। ଭତ୍ତାଠାରୁ ଆରମ୍ଭ କରି ଆବାସ ଯୋଜନାରେ ମଧ୍ୟ ଦୁଇ ରାଜ୍ୟର ସୁବିଧା ପାଉଛନ୍ତି । ସେହିପରି ଅନ୍ଧ୍ରପ୍ରଦେଶ ସୀମାନ୍ତରେ ଅବସ୍ଥିତ ବି.ନୂଆଗାଁ ଏବଂ ଗୁଡିପଦର ପଞ୍ଚାୟତର କେତେକ ଗ୍ରାମର ବାସିନ୍ଦାଙ୍କ ମଧ୍ୟରୁ ଅଧା ଓଡ଼ିଶାର ହୋଇଥିବା ବେଳେ ଆଉ ଅଧା ଆନ୍ଧ୍ର ବାସିନ୍ଦା ଭାବେ ପରିଚିତ। ଗାଁ ଗୋଟିଏ ହୋଇଥିଲେ ମଧ୍ୟ ଆନ୍ଧ୍ର ଅଧୀନ ରହିଥିବା ଲୋକେ ଆନ୍ଧ୍ରରେ ଏବଂ ଓଡିଶା ତଥା ଅଧୀନରେ ରହିଥିବା ଲୋକେ ଓଡ଼ିଶା ନିର୍ବାଚନରେ ଭାଗ ନେଉଛନ୍ତି । ସେମାନଙ୍କ ମଧ୍ୟରୁ ବେଳେ ବେଳେ ବହୁ ନିର୍ବାଚନ ବାସିନ୍ଦା ଉଭୟ ରାଜ୍ୟରେ ମତଦାନ ବି କରୁଛନ୍ତି । କେତେକ ଗ୍ରାମରେ ଦକ୍ଷିଣ ଓ ଉତ୍ତର ସାହି ଓଡ଼ିଶାର ତ ପୂର୍ବ ଓ ପଶ୍ଚିମ ସାହି ଆନ୍ଧ୍ର ଅଧୀନରେ ରହିଛି। ଏହିସବୁ ଗ୍ରାମ ମଧ୍ୟରୁ ଗୁଡିପଦର ପଞ୍ଚାୟତର ଚିକିଟି ବଳରାମପୁର ଗ୍ରାମଟି ଆନ୍ଧ୍ରର ଇଛାପୁରମ ମଣ୍ଡଳ ଅନ୍ତର୍ଗତ ତୁଳସୀଗାଁ ପଞ୍ଚାୟତରେ ରହିଛି । ଏହି ଗ୍ରାମରେ ଆନ୍ଧ୍ରର ଦୁଇଶହ ଘର ରହିଥିବା ବେଳେ ଓଡ଼ିଶାର କୋଡିଏ ଘର ରହିଛି। ସେହିପରି ବ୍ରାହ୍ମଣ ନୂଆଗାଁ ପଞ୍ଚାୟତର ଟି. ବ୍ରହ୍ମପୁର ଗ୍ରାମର ପୂର୍ବ ଓ ପଶ୍ଚିମରେ ଥିବା ଦଳିତ ସାହି ଆନ୍ଧ୍ରରେ ରହିଥିବା ବେଳେ ଦକ୍ଷିଣ ଓ ଉତ୍ତର ସାହି ଓଡ଼ିଶା ଅଧୀନରେ ରହିଛି । ଦୁଇ ଗ୍ରାମ ପାଇଁ ଦୁଇ ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ରହିଛି। ଗ୍ରାମର ଲୋକମାନେ ଗୋଟିଏ ତୁଠରେ ସ୍ନାନ ଓ ଶୌଚ କରିବା ସହ ଯାନିଯାତ୍ରା ବେଳେ ଏକାଠି ବୈଠକ କରି ନିଷ୍ପତ୍ତି ନେଇଥାଆନ୍ତି । କିଛି ଲୋକଙ୍କ ପାଖରେ ଉଭୟ ରାଜ୍ୟର ଭୋଟର ପରିଚୟପତ୍ର, ଆଧାର ଓ ପଡ଼ି କାର୍ଡ ରହିଛି। ଅନ୍ୟ ଗୋଟିଏ ଗ୍ରାମ ଜୟପୁରର ବାମ ପାର୍ଶ୍ଵ ଓଡ଼ିଶାରେ ରହିଥିବା ବେଳେ ଡାହାଣ ପାର୍ଶ୍ଵ ଆନ୍ଧ୍ରରେ ରହିଛି ।

ସେହିପରି ଶରଧାପୁର ଗ୍ରାମର କେତେକ ଘର ଆନ୍ଧ୍ର ଅଧୀନରେ ରହିଛନ୍ତି। ଟି ବ୍ରହ୍ମପୁର ଗ୍ରାମରେ ବହୁ ଓଡ଼ିଆ ଲୋକଙ୍କ ନାମ ଆନ୍ଧ୍ର ଭୋଟର ତାଲିକାରେ ରହିଛି । ଗତବର୍ଷ ଅନୁଷ୍ଠିତ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ପ୍ରଶାସନର ଉଦ୍ୟମ ସତ୍ତ୍ଵେ ଏହି ଗ୍ରାମର ବାସିନ୍ଦା ମତଦାନ କରିଥିଲେ । ପାତ୍ରପୁର ବ୍ଲକରେ ଆଗାମୀ ୨୦ ତାରିଖରେ ପଞ୍ଚାୟତ ଭୋଟ ହେବାକୁ ଯାଉଛି। ସେଥିରେ ଓଡ଼ିଶା ଭୋଟର ତାଲିକାରେ ନାମ ଥିବା ଆନ୍ଧ୍ର ବାସିନ୍ଦା ଭୋଟ ଦେବା ଆଶଙ୍କାକୁ ଏଡାଇ ହେଉନି ।

Leave a comment