୪୦ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୨ ମଫିଆ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛକୁଣ୍ଡ ପୋଲିସ ମାଡି ବସିଲା ସ୍ଥାନୀୟ ୨ ଗଞ୍ଜେଇ ମଫିଆକୁ । ଜୟନ୍ତଗିରି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଛି ବିପୁଳ ଗଞ୍ଜେଇ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ପୋଲିସ ବାଦିଗଡ ଛକ ନିକଟରେ ନାକାବନ୍ଦୀ କରିଥିଲେ ।

ଜୟନ୍ତଗିରି ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଭ୍ୟାନକୁ ଅଟକାଇଥିଲା ପୋଲିସ । ପୋଲିସ ବ୍ୟାରେକେଟକୁ ଭାଙ୍ଗି ଦ୍ରୁତ ଗତିରେ ଭ୍ୟାନ ନେଇ ଚାଲି ଯାଉଥିବା ବେଳେ ଗାଡ଼ିଟି ଓଲଟି ପଡ଼ିଥିଲା ଗାଡ଼ିରେ ଥିବା ଦୁଇ ମାଫିଆକୁ କାବୁ କରିବା ପରେ ଭ୍ୟାନକୁ ଯାଞ୍ଚ କରିବାରୁ ଭ୍ୟାନ ଡାଲାରେ ୨୧ଟି ବସ୍ତାରେ ପ୍ରାୟ ୪ କ୍ବିଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ ।ଏହାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ଯୁବକମାନେ ମାଛକୁଣ୍ଡର ଦେବେନ୍ଦ୍ର ବେହେରା ଏବଂ ଜୟନ୍ତଗିରି ଗ୍ରାମ ଘାସି ଖରା ବୋଲି ଜଣାପଡିଛି ।

ଗିରଫ ଯୁବକକୁ ପଚରା ଉଚରା ପରେ ଜଣାପଡିଛି ଯେ ସମ୍ପୃକ୍ତ ଯୁବକ ଏହି ଗଞ୍ଜେଇ ଜୟପୁର ଚୋରା ଚାଲଣ କରିବା ନେଇ ସ୍ବୀକାର କରିଛନ୍ତି । ସେଠାରୁ ବିହାରରୁ ଅସିଥିବା ଗଞ୍ଜେଇ ମାଫିଆଙ୍କୁ ଏହି ଗଞ୍ଜେଇ ଦେବାର ଯୋଜନା ଥିଲା । ଏହି ଘଟଣାର ତଦନ୍ତ ପୋଲିସ ଜାରି ରଖିଛି । ଚଳିତ ବର୍ଷ ମାଛକୁଣ୍ଡ ପୋଲିସ ଏପର୍ଯ୍ୟନ୍ତ ୨୪ଟି ଗଞ୍ଜେଇ କେସ୍ କରିଥିବା ବେଳେ ୩୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଏବଂ ସମୁଦାୟ ୭ଟନ୍ ୫୦୭ କେଜି ଗଞ୍ଜେଇ ଜବତ କରିଥିବା ବେଳେ ୨୦ଟି ଗାଡି ସିଜ୍ କରିଛି ପୋଲିସ ।

Leave a comment

You cannot copy content of this page