ଓମ୍ ବିର୍ଲା ୧୭ତମ ଲୋକସଭା ବାଚସ୍ପତି ନିର୍ବାଚିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜସ୍ଥାନ କୋଟା ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ଓମ୍ ବିର୍ଲା ୧୭ତମ ଲୋକ ସଭାର ବାଚସ୍ପତି ହୋଇଛନ୍ତି । ବୁଧବାର ବାଚସ୍ପତି ଭାବେ ତାଙ୍କ ନାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ରଖିଥିଲେ । ମୋଦିଙ୍କ ପ୍ରସ୍ତାବକୁ ରାଜନାଥ ସିଂ ସମର୍ଥନ କରିଥିଲେ । ଏହାପରେ ଅମିତ ଶାହ, ଅରବିନ୍ଦ ସାଓ୍ବନ୍ତଙ୍କ ସମେତ ଅନ୍ୟ କେତେକ ଏମ୍ପି ଓମ୍ଙ୍କ ନାମ ପ୍ରସ୍ତାବ ଦେଇଥିଲେ ଏବଂ ଅନ୍ୟ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ । ନିର୍ବାଚନ ପରେ ଓମ୍ ବିର୍ଲା ବାଚସ୍ପତି ଆସନରେ ଅଧିଷ୍ଠିତ ହୋଇଛନ୍ତି ।
ଏହାପରେ ଲୋକସଭାର କାର୍ଯ୍ୟ ସାଧାରଣ ଭାବେ ଆରମ୍ଭ ହୋଇଛି । କଂଗ୍ରେସ ସମେତ ଅନ୍ୟ ଦଳ ଓମ୍ଙ୍କୁ ସମର୍ଥନ କରିଥିବା କୁହାଯାଉଛି । ବାଚନିକ ଭୋଟ ମାଧ୍ୟମରେ ସର୍ବସମ୍ମତି କ୍ରମେ ସେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ରାଜସ୍ଥାନ କୋଟା ଲୋକସଭାରୁ ଓମ୍ ବିର୍ଲା ଦ୍ଵିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ସେ କୋଟା ଦକ୍ଷିଣ ବିଧାନସଭା ଆସନରୁ ୩ଥର ବିଧାୟକ ନିର୍ବାଚିତ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ରାମନରୀନ ମୀନାଙ୍କୁ ଓମ୍ ବିର୍ଲା ଚଳିତ ନିର୍ବାଚନରେ ୨.୭୯ ଲକ୍ଷ ଭୋଟ ବ୍ୟବଧାନରେ ହରାଇଛନ୍ତି ।
ସୂଚନାଯୋଗ୍ୟ, ୧୬ତମ ଲୋକସଭାରେ ସୁମିତ୍ରା ମହାଜନ ବାଚସ୍ପତି ଥିଲେ । ହେଲେ ଚଳିତଥର ସେ ନିର୍ବାଚନ ଲଢ଼ିନଥିଲେ।