ଏହି ମନ୍ଦିରରେ ଏବେ ବି ରହିଛି ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତକଳସ
ପ୍ରାୟ ସମସ୍ତେ ସମୁଦ୍ର ମନ୍ଥନର ପୌରାଣିକ କଥା ଏବଂ ଏଥିରୁ ଉତ୍ପନ୍ନ ଅମୃତକଳସ ବିଷୟରେ ଜାଣିଥିବେ। ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ ଯେ ସମୁଦ୍ର ମନ୍ଥନ ପ୍ରକ୍ରିୟାକୁ ବ୍ରହ୍ମାଣ୍ଡର ସୃଷ୍ଟି ପାଇଁ ସଂଗଠିତ କରାଯାଇଥିଲା। ତେବେ କେହି କେହି ଏହାକୁ ସତ ନୁହେଁ କେବଳ କିମ୍ବଦନ୍ତୀ ବୋଲି କୁହନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୁସଲମାନ ବହୁଳ ଇଣ୍ଡୋନେସିଆର ଏପରି ଏକ ମନ୍ଦିର ଅଛି, ଯେଉଁଠାରେ ଆଜି ବି ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଅମୃତ କଳସ ରହିଛି ବୋଲି ଦାବି କରାଯାଏ। ଆମେ କହୁଥିବା ଏହି ମନ୍ଦିରର ନାମ ହେଉଛି ‘କଣ୍ଡି ସୁକୁହ’। ଏହି ମନ୍ଦିର କେନ୍ଦ୍ରୀୟ ଏବଂ ପୂର୍ବ ଜାଭା ପ୍ରଦେଶର ସୀମାରେ ରହିଥିବା ମାଉଣ୍ଟ ଲାଭୁରେ ଅବସ୍ଥିତ। ଏହି ପ୍ରାଚୀନ ମନ୍ଦିରରେ ଏପରି ଏକ କଳସ ରହିଛି, ଯେଉଁଥିରେ ହଜାରେ ବର୍ଷ ଧରି କିଛି ତରଳ ପଦାର୍ଥ ରହିଥିବାର ଜଣା ପଡ଼ିଛି। କଳସରେ ଭର୍ତ୍ତି ହୋଇଥିବା ତରଳ ପଦାର୍ଥ ବିଷୟରେ ଏପରି ବିଶ୍ୱାସ ଅଛି ଯେ ଏହା ସମୁଦ୍ର ମନ୍ଥନ ସମୟରେ ବାହାରି ଥିବା ଅମୃତ ଅଟେ, ଯାହା ଏପର୍ଯ୍ୟନ୍ତ ଶୁଖିନାହିଁ। ୨୦୧୬ ମସିହାରେ ଇଣ୍ଡୋନେସିଆର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଏହି ମନ୍ଦିରର ମରାମତି କାର୍ଯ୍ୟ ଚାଲିଥିବା ସମୟରେ ବିଶେଷଜ୍ଞମାନେ ମନ୍ଦିର କାନ୍ଥର ମୂଳଦୁଆରୁ ଏକ ତମ୍ବା କଳସ ପାଇଥିଲେ, ଯେଉଁଥିରେ ଏକ ସ୍ୱଚ୍ଛ ଶିବଲିଙ୍ଗ ସ୍ଥାପନ କରାଯାଇଥିଲା ଏବଂ କିଛି ତରଳ ଜିନିଷ ଭିତରେ ପୂର୍ଣ୍ଣ ହୋଇ ରହିଥିଲା।
ଅନୁସନ୍ଧାନରୁ ଜଣାପଡିଛି ଯେ ତମ୍ବାର ସେହି କଳସକୁ ଏପରି ଭାବରେ ସଂଲଗ୍ନ କରାଯାଇଛି ଯେ ଏହାକୁ କେହି ଖୋଲି ପାରିବେ ନାହିଁ। ଅନ୍ୟ ଏକ ଜିନିଷ ଯାହା ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା, ତାହା ହେଉଛି ଯେଉଁ କାନ୍ଥରୁ ଏହି କଳସ ମିଳିଥିଲା, ସେଥିରେ ସମୁଦ୍ର ମନ୍ଥନର ନକ୍ସା ଖୋଦିତ ହେବା ସହ ସେଠାରେ ମହାଭାରତର ଆଦିପର୍ବ ବର୍ଣ୍ଣନା କରାଯାଇଥିଲା। ବିଶ୍ବାସ କରାଯାଏ ଯେ ତମ୍ବା କଳସଟି ୧୦୦୦ ଖ୍ରୀଷ୍ଟାବ୍ଦ ପୂର୍ବର ହୋଇଥିବା ବେଳେ ମନ୍ଦିରଟି ଖ୍ରୀଷ୍ଟପୂର୍ବ ୧୪୩୭ ମସିହା ପାଖାପାଖି ତିଆରି କରାଯାଇଥିଲା। ୧୫ ଶତାବ୍ଦୀରେ ଇଣ୍ଡୋନେସିଆରେ ଇସଲାମ ପ୍ରାଧାନ୍ୟ ବିସ୍ତାର କରିବା ପରେ ଏହି ମନ୍ଦିର ଭାଙ୍ଗି ଦିଆଯାଇଥିଲା। ବିଶ୍ୱାସ କରାଯାଏ ଯେ ସେହି ସମୟରେ ଏହି ମନ୍ଦିରରେ ତମ୍ବା କଳସଟି ଲୁଚି ରହିଥଲା।