କଲବଲ କରୁଛି ତେଲ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ: ଆଜି ପୁଣି ଥରେ ବଢ଼ିଛି ତେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୧୧ ଟଙ୍କା ୫୪ ପଇସା ରହିଥିବା ବେଳେ ଡିଜେଲ ଦାମ୍ ବଢ଼ି ୧୦୧ ଟଙ୍କା ୨୯ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କା ୬୧ ପଇସା ଓ ଡିଜେଲ ଦର ୯୫ ଟଙ୍କା ୮୭ ପଇସା ହୋଇଛି।
ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୯ଟଙ୍କା ୬୭ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୧୦୩ ଟଙ୍କା ୯୨ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୧୪ ଟଙ୍କା ୨୮ ପଇସା ଥିବାବେଳେ ଡିଜେଲ ଦର ୯୯ ଟଙ୍କା ୦୨ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୧୦ ଟଙ୍କା ୧୧ ପଇସା ଥିବା ବେଳେ ଡିଜେଲ ଦାମ ୧୦୦ ଟଙ୍କା ୧୯ ପଇସା ରହିଛି।
ମାର୍ଚ୍ଚ ୨୨ ପରଠାରୁ ନିୟମିତ ବ୍ୟବଧାନରେ ତେଲ ଦର ବୃଦ୍ଧି ପାଇବା ଉପଭୋକ୍ତାଙ୍କୁ ଚିନ୍ତାରେ ପକାଇଛି। ନିକଟରେ ୫ ରାଜ୍ୟରେ ନିର୍ବାଚନ ସରିବା ପରେ କ୍ରମାଗତ ଭାବେ ତେଲ ଦର ବଢ଼ି ଚାଲିଥିବା ବେଳେ ଏହା ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହେଲାଣି ପେଟ୍ରୋଲ୍ ଓ ଡିଜେଲର ନିୟମିତ ଦରବୃଦ୍ଧି ଯୋଗୁ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବି ହୁ ହୁ ହୋଇ ବଢ଼ିବାରେ ଲାଗିଛି।