ତେଲ ସଂକଟ: ୭୦୦ରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ!

ଜୟପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜସ୍ଥାନରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ସଂକଟ ଦେଖାଯାଇଛି । ତେଲ ଆମଦାନୀ କମ ହେବାରୁ ପେଟ୍ରୋଲ ପମ୍ପରେ କାମ କମ ରହୁଥିବା ଖବର ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି । ଅନେକ ପେଟ୍ରୋଲ ପମ୍ପରେ ତେଲ ମିଳୁ ନାହିଁ । ସେହିପରି ଯେଉଁଠି ପେଟ୍ରୋଲ ପମ୍ପ ରହିଛି, ସେଠାରେ ଲମ୍ବା ଲାଇନ ଲାଗୁଛି । ରାଜସ୍ଥାନର ଘରୋଇ ପେଟ୍ରୋଲ ପମ୍ପ ଗୁଡ଼ିକରେ ଏଭଳି ସଂକଟ ଦେଖାଯାଇଛି ।
ପେଟ୍ରୋଲ-ଡିଜେଲ ସଂକଟ କାରଣରୁ ଲୋକେ ସେମାନଙ୍କର ଗାଡ଼ିରେ ତେଲ ପୂରା କରୁଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ୭୦୦ରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ଥିଲା । ରାଜ୍ୟରେ ପେଟ୍ରୋଲ-ଡିଜେଲ ଯୋଗାଣରେ ଅସୁବିଧା ହେଉଛି । ଭିଲୱାରା ସହରରେ ପେଟ୍ରୋଲ ପମ୍ପଗୁଡ଼ିକରେ ଗ୍ରାହକଙ୍କର ଲମ୍ବା ଲାଇନ ରହୁଛି । ବାହନର ମାଲିକମାନେ ପୂର୍ବ ତୁଳନାରେ ଅଧିକ ତେଲ ଭର୍ତ୍ତି କରୁଛନ୍ତି ।
ଭିଲୱାରା ପେଟ୍ରୋଲିୟମ ଡିଲର୍ସ ସଭାପତି ଜାକିର ମହମ୍ମଦ କୁହନ୍ତି, ସରକାରୀ ତେଲ କଂପାନୀ ଇଣ୍ଡିଆନ ଅଏଲ ଭଲ ଯୋଗାଉଛି । ଏଚପିସିଏ ଓ ବିପିସିଏଲରେ ମଧ୍ୟ ଯୋଗାଣ ଯଥାବତ ରହିଛି । ଭିଲୱାରାରେ ମୋଟ ୨୦୦ ପେଟ୍ରୋଲ ପମ୍ପ ରହିଛି । ଏଥିରେ ଘରୋଇ କଂପାନୀ (ଏସ୍ସାର, ରିଲାୟନ୍ସ ଓ ନାୟରା) ମଧ୍ୟ ରହିଛି ।