ଓ.ଏଚ୍. ପି.ସି ପକ୍ଷରୁ ଓଡ଼ିଶା ସରକାରଙ୍କୁ ତିରିଶ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶାର ଅଗ୍ରଣୀ ସାଧାରଣ ଉଦ୍ୟୋଗ ଓଡ଼ିଶା ଜଳବିଦ୍ୟୁତ ନିଗମ (ଓ.ଏଚ୍.ପି.ସି.) ଲିମିଟେଡ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୩୦ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛନ୍ତି । ଶୁକ୍ରବାର ରାଜ୍ୟ ଲୋକସେବା ଭବନଠାରେ ଏ ବାବଦକୁ ଏକ ଚେକ୍ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କୁ ଓ.ଏଚ୍.ପି.ସି. ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପଦ ସେଠୀ ପ୍ରଦାନ କରିଅଛନ୍ତି ।
ଚେକ୍ ଗ୍ରହଣ କରି ଶକ୍ତି କ୍ଷେତ୍ରରେ ଓ.ଏଚ୍. ପି.ସି ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରୀପାଠୀ କହିଥିଲେ । ଆଧୂନିକ ବୈଷୟିକ କୌଶଳ ପ୍ରୟୋଗ କରି ବିଦ୍ୟୁତ ଉତ୍ପାଦନ କ୍ଷମତା ବୃଦ୍ଧି ଓ ଅଧିକ ବ୍ୟବସାୟିକ ସଂସ୍କାରହାସଲ କରିବାକୁ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ ।ଏହି ଅବସରରେ ନିଗମର ଅଧ୍ୟକ୍ଷ ଶ୍ରୀ ସେଠୀ କହିଥିଲେ ଯେ ଓ.ଏଚ୍. ପି.ସି ର ନିର୍ଦ୍ଦେଶକ ମଣ୍ଡଳୀ ବୋର୍ଡ ୧୬.୦୭.୨୦୨୦ ରିଖ ଦିନ ୨୦୧୯-୨୦ ବର୍ଷ ପାଇଁ ୩୦ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଅବଶିଷ୍ଟ ରାଶି ହିସାବ ଚୂଡାନ୍ତ ହେବା ପରେ ପ୍ରଦାନ କରାଯିବ । ଗତ ବର୍ଷ ଓ.ଏଚ୍. ପି.ସି ୩୧,୫୭,୮୮,୭୨୯ ଟଙ୍କାର ଲାଭାଂଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା ।
ନିଗମର ଅର୍ଥ ନିର୍ଦ୍ଦେଶକ ଶ୍ରୀ ପ୍ରଭାକର ମହାନ୍ତି ଜଣାଇଥିଲେ ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ଓ.ଏଚ୍. ପି.ସି ର ନିଟ୍ ଲାଭରେ ୨୭.୩୫% ବୃଦ୍ଧି ଘଟିଛି । ୨୦୧୮-୧୯ ବର୍ଷରେ ଏହି ଲାଭ ୧୦୫.୨୬ କୋଟି ଟଙ୍କା ଥିଲା ବେଳେ ୨୦୧୯-୨୦ ରେ ଏହା ୧୩୪.୦୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ନିଗମ କ୍ରମାଗତଭାବେ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ କରିଆସୁଛି ।
ଶ୍ରୀ ସେଠୀ ଆହୁରି ମଧ୍ୟ କହିଥିଲେ ଯେ କୋଭିଡ୍ ଲଢ଼େଇରେ ରାଜ୍ୟର ଏକ ଦାୟିତ୍ୱସମ୍ପନ୍ନ ନିଗମ ଭାବେ ଓ.ଏଚ୍. ପି.ସି ଗଜପତି ଓ ବାଲେଶ୍ୱର ଜିଲ୍ଲାରେ ଯଥାକ୍ରମେ ୧୧୨ ଏବଂ ୧୨୦ ଶଯ୍ୟା ବିଶିଷ୍ଟ ୨ ଟି କୋଭିଡ୍ ହସ୍ପିଟାଲ ପରିଚାଳନା କରୁଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଏହି ହସ୍ପିଟାଲରେ କୋଭିଡ୍ ଆକ୍ରାନ୍ତ ରୋଗୀମାନଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ଦିଆଯାଉଛି । ଏ ବାବଦ ଅର୍ଥ ନିଗମ ନିଜର ସି.ଏସ୍.ଆର୍. ପାଣ୍ଠିରୁ ଦେଉଛନ୍ତି ।