ଚର୍ଚ୍ଚାରେ କରିତକର୍ମା ଯନ୍ତ୍ରୀ, ବଦଳି ପରେ ବି ମାଡି ବସିଛନ୍ତି ଦୁଇଟି ଜାଗା

0

ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ସ୍ୱଚ୍ଛ ଶାସନର ଦାବି କରୁଥିବା ରାଜ୍ୟସରକାରଙ୍କୁ ସନ୍ଦେହଘେର କୁ ଟାଣିନେଉଛନ୍ତି କିଛି ଉଚ୍ଚ ପଦସ୍ଥ ଅଧିକାରୀ । କିଛି କରିତକର୍ମା ଅଫିସରଙ୍କ ଯୋଗୁଁ ଏହା ପୂରଣ ହୋଇପାରୁନାହିଁ । ଅନେକ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ଆସୁଥିଲେ ମଧ୍ୟ କେତେକ ନେତା ଓ ବଡ ଅଫିସର ଏହାକୁ ନିଜସ୍ତରରେ ରଫାଦଫା କରିଦେଉଛନ୍ତି । ତେବେ ଏବେ ରାଜଧାନୀରେ ଜଣେ କରିତକର୍ମା ଯନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ବଦଳି ପରେ ବି ଯନ୍ତ୍ରୀ ଜଣକ ଦୀର୍ଘଦିନ ହେଲା ବେଆଇନ ଭାବେ ଭୁବନେଶ୍ୱର ଓ କଟକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାଗା ମାଡି ବସିଛନ୍ତି । ଯେପରି ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଶାସନ ତାଙ୍କ ପାଖରେ ବନ୍ଧା ପଡିଛି?

ଅଭିଯୋଗ ଅନୁସାରେ, ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ-୧ରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ନାୟକଙ୍କୁ ୨୦୨୨ରେ କଟକ ଚାରିବାଟିଆକୁ ବଦଳି କରାଯାଇଥିଲା । ସରକାରୀ ନିୟମ ଅନୁସାରେ ଗୋଟିଏ ଜିଲ୍ଲାରେ ୧୦ବର୍ଷ କାମ କରିଥିବାରୁ ତାଙ୍କୁ ବଦଳି କରାଯାଇଥିଲା । ହେଲେ ଶ୍ରୀନାୟକ ସେଠାରେ କାର୍ଯ୍ୟରେ ଯୋଗଦେବାର ମାତ୍ର ୨/୩ମାସ ମଧ୍ୟରେ ପୁଣି ଭୁବନେଶ୍ୱର ଡିଭିଜନ-୧ର ବିଧାନସଭା ସେକ୍ସନକୁ ଡିପ୍ଲୋଏମେଣ୍ଟରେ ଆସିଥିଲେ । ତାହା ପୁଣି (୨୦୨୨ ଜୁନରୁ ଅଗଷ୍ଟ) ମାତ୍ର ୩ମାସ ପର୍ଯ୍ୟନ୍ତ ଅର୍ଡର କରାଯାଇଥିଲା । ମାତ୍ର ସେ ଆଉ ଡିପ୍ଲୋଏମେଣ୍ଟ ଅର୍ଡରକୁ ନବଢାଇ ସେଠାରେ କାର୍ଯ୍ୟରତ ଅଛନ୍ତି । ଖାଲି ଏତିକି ନୁହେଁ, ତାଙ୍କର ପୋଷ୍ଟିଂ ହୋଇଥିବା କଟକ ଚାରିବାଟିଆ ପଦବୀକୁ ମଧ୍ୟ ନିଜ ଅକ୍ତିଆରରେ ରଖିଛନ୍ତି । ଗୋଟିଏ ଲୋକ ଦୁଇଟି ଜାଗାର ଗୁରୁତ୍ୱପୂର୍ଣ୍ଣ ପଦବୀକୁ ମାଡି ବସିଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏଠାରେ ପ୍ରଶ୍ନ ଉଠୁଛି, ଶ୍ରୀ ନାୟକ ବିନା ସରକାରୀ ଅର୍ଡରରେ ଦୀର୍ଘ ୮ ମାସ ହେଲା କିପରି କାମ କରୁଛନ୍ତି? ଗୋଟିଏ ବ୍ୟକ୍ତି ସରକାରୀ ନିୟମକୁ ଉଲଂଘନ କରି ଦୁଇ ଦୁଇଟି ଆସନ କାହିଁକି ମାଡି ବସିଛନ୍ତି? ଏହା କ’ଣ ରାଜ୍ୟ ସରକାରଙ୍କ ସ୍ୱଚ୍ଛତା? ୫-ଟି ଓ ମୋ ସରକାର ପାଖରେ ଏନେଇ ଖବର ଅଛିତ? ଏଭଳି ଅନେକ ପ୍ରଶ୍ନ ଏବେ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସାଧାରଣରେ ଉଙ୍କି ମାରୁଛି ।

ଏନେଇ ଜଣେ ବରିଷ୍ଠ ଯନ୍ତ୍ରୀ କହିଛନ୍ତି, ଏହା ନ୍ୟାୟ ଯୁକ୍ତ କଥା ନୁହେଁ । ଯଦି ସରକାର ତାଙ୍କ କାମରେ ସନ୍ତୁଷ୍ଟ ତେବେ ଭୁବନେଶ୍ୱରରେ ଅନ୍ୟ ଡିଭିଜନରେ ତାଙ୍କୁ ଅବସ୍ଥାପିତ କରିପାରନ୍ତି । ହେଲେ ପୁଣି ଯେଉଁ ଡିଭିଜନରେ ଥିଲେ, ସେଠାକୁ ଆସିବା ଟିକେ ସନ୍ଦେହ ସୃଷ୍ଟି କରୁଛି । ଏଥିସହିତ ସରକାର ତାଙ୍କ ଡିପ୍ଲୋଏମେଣ୍ଟ ଅର୍ଡରକୁ ବଢାଇବା କିମ୍ବା ସ୍ଥାୟୀ ପୋଷ୍ଠିଂ କରିବା କଥା, ଏହା ହୋଇନଥିବାରୁ ସେ ଗଳାବାଟରେ କାର୍ଯ୍ୟ କରୁଥିବା ଏକ ପ୍ରକାର ସ୍ପଷ୍ଟ ବୋଲି ମନେ ହେଉଛି । ଏହା ପଛରେ କୌଣସି ପ୍ରଭାବଶାଳୀ ନେତା କିମ୍ବା ମନ୍ତ୍ରୀଙ୍କ ହାତ ଥିବା ଅଭିଯୋଗକୁ ଏଡାଇ ଦିଆଯାଇନପାରେ । ତେଣୁ ବିଭାଗୀୟ ଅଧିକାରୀ ଦୃଷ୍ଟି ହେବା ଆବଶ୍ୟକ ।

Leave a comment