ମୁଖ୍ୟମନ୍ତ୍ରୀଙ୍କୁ ଅବମାନନା କଲେ ଦଳୀୟ ବିଧାୟକ ଏବଂ ବିଏମସି ଅଧିକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଅତ୍ୟନ୍ତ ଲୋକପ୍ରିୟ ନେତା ଏଥିରେ କୌଣସି ଦ୍ବିମତ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟ ଦଳର ନେତାମାନେ ମଧ୍ୟ ଖୁବ ସମ୍ମାନ ଦିଅନ୍ତି । ମାତ୍ର ନିଜ ଦଳର ଜଣେ ବିଧାୟକ ଏବଂ ବିଏମସି ଅଧିକାରୀମାନେ ତାଙ୍କର ଅସମ୍ମାନ କଲା ପରି ଏକ ଘଟଣା ସାମ୍ନାକୁ ଆସିଛି । ତାହା ପୁଣି ରାଜଧାନୀରେ । ବିଧାୟକ ଏବଂ ବିଏମସି ଅଧିକାରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯାଇଥିବା ଏକ ଫଳକକୁ ଘୋଡେଇ ଦିଆଯାଇ ବେଆଇନ ଭାବେ ନିର୍ମାଣ କରାଯାଉଥିବା ଏକ ରାସ୍ତାର ଫଳକ ଉଦଘାଟନ କରାଯିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ତାଙ୍କ ଅସମ୍ମାନ ର ଜ୍ୱଳନ୍ତ ଉଦାହରଣ ।
ଭୁବନେଶ୍ୱର ୩୬ ନଂ ୱାର୍ଡ ର ୪ନଂ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ନିକଟରେ ରହିଛି ବିଜୁ ଆଦର୍ଶ କଲୋନୀ। ଏହି କଲୋନୀ ନିକଟରେ ଏକ ପମ୍ପ ହାଉସକୁ ମୁଖ୍ୟମନ୍ତ୍ରୀ କିଛି ବର୍ଷ ପୂର୍ବେ ଉଦଘାଟନ କରିଥିଲେ । ଏହାର ଫଳକ ଉକ୍ତ ପମ୍ପ ହାଉସ କାନ୍ଥରେ ସ୍ଥାପନ କରାଯାଇଥିଲା । ସେହି ସ୍ଥାନ ନିକଟ ରାସ୍ତା ଯାହାକି ପିଡବ୍ଲୁଡି ଅଧୀନରେ ରହିଛି ତାକୁ ୨୦୨୧ ଡିସେମ୍ବର ମାସରେ ପାଖାପାଖି ୫ଲକ୍ଷ ଟଙ୍କା ବ୍ୟୟରେ କଂକ୍ରିଟ ରୋଡ଼ ତିଆରି କରାଯାଇଥିଲା । ମାତ୍ର ଏବେ ସେହି ରୋଡ ଉପରେ ପୁଣିଥରେ ବିଏମସି ଟେଣ୍ଡର କରି ଫେବର ବ୍ଲକ ପକାଇବାକୁ ଯାଉଅଛି । ଯାହାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି। କାରଣ ରୋଡ଼ ଟି ସମ୍ପୂର୍ଣ୍ଣ ଭାବେ ଠିକ ଅଛି । ଏବଂ ଏହି ରାସ୍ତାଟି ପିଡବ୍ଲୁଡି ଅଧୀନରେ ରହିଛି । ତେବେ କାହା ସ୍ୱାର୍ଥ ପାଇଁ ପିଡବ୍ଲୁଡି ରାସ୍ତା ଉପରେ ବିଏମସି ୧୩ ଲକ୍ଷ ଟଙ୍କା ବ୍ୟୟର ଟେଣ୍ଟେର କରି ଫେବର ବ୍ଲକ ପକାଉଛି ବୋଲି ଅଭିଯୋଗ ହେଉଛି ।
ତେବେ ଏସମସ୍ତ କଥା ମଧ୍ୟରେ ମୁଖ୍ୟ କଥାଟି ହେଲା ଯେ ଏହା ଏକ ବେଆଇନ ନିର୍ମାଣ କାର୍ଯ୍ୟ । ଏହି ବେଆଇନ କାର୍ଯ୍ୟ ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଦ୍ୱାରା ଉଦଘାଟିତ କରାଯିବା ଏବଂ ତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଫଳକ ଉପରେ କାଗଜ ଘୋଡାଯାଇ ସେହି କାନ୍ଥରେ ରୋଡ଼ କାମର ଫଳକ ଲଗାଯିବା । ଯାହାକୁ ଦଳୀୟ ନେତାମାନେ ଘୋର ନିନ୍ଦା କରିବା ସହ ବିଧାୟକ କଣ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ ପାୱାରଫୁଲ ବୋଲି ଚର୍ଚ୍ଚା କରୁଛନ୍ତି ।
ଅପରପକ୍ଷରେ ବିଏମସି ଅଧିକାରୀଙ୍କୁ କିଏ ସାହସ ଦେଲା ଯାହାଫଳରେ ମୁଖ୍ୟମନ୍ତ୍ରୀଙ୍କ ଫଳକକୁ ଘୋଡାଯାଇ ସେହି କାନ୍ଥରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉଦଘାଟନ ଫଳକ ଲଗାଇବାକୁ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେହିପରି ବିଧାୟକଙ୍କ କିଛି ସମର୍ଥକ କହିଛନ୍ତି ସେ ଖୁବ ପାୱାରଫୁଲ ତାଙ୍କ ବିରୁଦ୍ଧରେ ଯେତେ ଅଭିଯୋଗ ଆସିଲେ ସୁଦ୍ଧା କେହି ବିଧାୟକଙ୍କ କିଛି କରିପାରିବେ ନାହିଁ ।