ଫନି ପୁନରୁଦ୍ଧାର ପାଇଁ ଓଡ଼ିଶାକୁ ୩,୩୩୮ କୋଟିର ସହାୟତା ଦେବେ କେନ୍ଦ୍ରସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫନି ପୁନରୁଦ୍ଧାର ପାଇଁ ଓଡ଼ିଶାକୁ ୩,୩୩୮.୨୨ କୋଟିର ସହାୟତା ଦେବେ କେନ୍ଦ୍ରସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଜାତୀୟ ବିପର୍ଯ୍ୟୟ ପାଣ୍ଠି (ଏନଡିଆରଏଫ୍)ରୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ଏହି ବୈଠକରେ ମରୁଡ଼ି ପ୍ରଭାବିତ କର୍ଣ୍ଣାଟକକୁ ୧,୦୨୯.୩୯ କୋଟି ଏବଂ ହିମାଚଳ ପ୍ରଦେଶକୁ ବର୍ଷା ବିତ୍ପାତ ସହାୟତା ଲାଗି ୬୪.୪୯ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।
ସୂଚନା ଅନୁଯାୟୀ, ଓଡ଼ିଶା ସରକାର ସାମୁଦ୍ରିକ ଝଡ଼ ଫନି ପରବର୍ତ୍ତୀ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ୫,୨୨୭.୬୮ କୋଟିର ସହାୟତା ଦାବି କରିଥିଲା । ମାତ୍ର ଆଜି ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାକୁ ୩,୩୩୮.୨୨ କୋଟିର ସହାୟତା ରାଶି ଘୋଷଣା କରାଯାଇଛି । ଏହି ବାତ୍ୟାରେ ଓଡ଼ିଶାର ୧୪ଟି ଜିଲ୍ଲାରେ ୨୪,୧୭୬ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରଯାଇଥିବା ବେଳେ ପୁନରୁଦ୍ଧାର କାର୍ଯ୍ୟରେ ୨୯,୩୧୫ କୋଟି ଟଙ୍କାର ଆବଶ୍ୟକତା ଥିବା ଦର୍ଶାଯାଇଥିଲା ।