ଘରୋଇ ହିଂସାକୁ ନେଇ ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ଜାରି ହେଲା ହ୍ୱାଟସଅପ୍ ନମ୍ବର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏବେ ଲକଡାଉନ୍ ସମୟରେ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିବା ପରେ ପୋଲିସ ପ୍ରଶାସନଠୁ ଆରମ୍ଭ କରି ମହିଳା ଓ ଶିଶୁବିକାଶ ବିଭାଗ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଗତକାଲି ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ହ୍ୱାଟସଅପ୍ ନମ୍ବର ଜାରି କରାଯାଇଥିବାବେଳେ ଗୁରୁବାର ରାଜ୍ୟ ମହିଳା କମିଶନଙ୍କ ପକ୍ଷରୁ ମଧ୍ୟ ଅନୁରୂପ କାରଣ ପାଇଁ ଗୋଟିଏ ହ୍ୱାଟସଅପ୍ ନମ୍ବର ଜାରି ହୋଇଛି। ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଲକଡାଉନ୍ ଅବଧିରେ ସମଗ୍ର ରାଜ୍ୟରେ ମହିଳା ବିରୋଧୀ ହିଂସା ପରିମାଣ ବୃଦ୍ଧି ପାଇଛି। ତେଣୁ ପୀଡ଼ିତାମାନଙ୍କ ସହାୟତା ନିମନ୍ତେ କମିଶନଙ୍କ ପକ୍ଷରୁ ହ୍ୱାଟସଅପ୍ ନମ୍ବର-୮୭୬୩୫୪୩୦୧୩ ଜାରି କରାଯାଇଛି।
ସୂଚନାଯୋଗ୍ୟ, ଲକଡାଉନ୍ ଅବଧି ମଧ୍ୟରେ ଘରୋଇ ହିଂସା ସମ୍ପର୍କରେ ଅଭିଯୋଗ ନିମନ୍ତେ ଗତକାଲି ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏକ ହ୍ୱାଟସଅପ୍ ନମ୍ବର ଜାରି ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ସେହିପରି ପୋଲିସ ଡିଜି ଅଭୟ ମଧ୍ୟ ଅନୁରୂପ ନିର୍ଦ୍ଦେଶନାମା ଜାରି କରି ଅନଲାଇନ ଓ ଟେଲିଫୋନ୍ ମାଧ୍ୟମରେ ମହିଳା ହିଂସା ସମ୍ପର୍କରେ ଅଭିଯୋଗ କଲେ ପୋଲିସ ଘରେ ପହଂଚିବ ବୋଲି କହିଥିଲେ।