୧୦ଲକ୍ଷ ବଦଳରେ ୨୫ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱର ରେ ପହଂଚିଲା ଯବାନଙ୍କ ପାର୍ଥିବ ଶରୀର ରାଜ୍ୟବ୍ୟାପୀ ଶୋକାକୁଳ ପରିବେଶ ।
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ୩ଟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଳୀରୁ ଭୁବନେଶ୍ୱର ଆସି ପହଞ୍ଚିଛି ଦୁଇ ବୀର ଓଡିଆ ଯବାନଙ୍କ ପାର୍ଥିବ ଶରୀର । ଜମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୨ ଓଡିଆ ବୀର ଯବାନଙ୍କ ପାର୍ଥିବ ଶରରୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ରାଜ୍ୟର ଅନେକ ମନ୍ତ୍ରୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସିଆରପିଏଫ ଯବାନ ମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କେବଳ ପୋଲିସ ବା ନେତା ନୁହନ୍ତି ବିମାନବନ୍ଦରର ପରିସରରେ ହଜାର ହଜାର ସାଧାରଣ ଲୋକ ଯବାନଙ୍କ ଶେଷ ଦର୍ଶନ ପାଇଁ ବହୁ ସମୟ ଧରି ଆପେକ୍ଷା କରି ଥିବାଦେଖିବାକୁ ମିଳିଥିଲା । ସହିଦ ହୋଇଥିବା ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗାଁ ହୋଇଥିବା ବେଳେ ମନୋଜ ବେହେରାଙ୍କ ଘର କଟକ ଜିଲ୍ଲା ନିଆଳି ଥାନା ଅଂଚଳ ରତନପୁର ଗାଁରେ । ଉଭୟ ସହିଦଙ୍କ ପରିବାର ଲୋକ ମଧ୍ୟ ଆକୁଳ ନୟନରେ ତାଙ୍କ ବୀର ସନ୍ତାନକୁ ଦେଖିବାକୁ ଅନୈରହିଥିଲେ । ସହିଦ ଖବର କେବଳ ତାଙ୍କ ଜନ୍ମମାଟି ନୁହେଁ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ସହାୟତା ରାଶି ୧୦ ଲକ୍ଷରୁ ୨୫ ଲକ୍ଷକୁ ବୃଦ୍ଧି କରାଯାଇଛି ।
ସୂଚନା ଅନୁଯାୟୀ, କାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପ୍ରସନ୍ନ ଓ ମନୋଜଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧା ସୁମନ ଅର୍ପଣପରେ ସେମାନଙ୍କୁ ନିଜ ଜନ୍ମ ମାଟିକୁ ନିଆଯିବ । ସେଠାରେ ରାଷ୍ଟ୍ରୀୟ ସମ୍ମାନ ସହ ସେମାନଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଗତକାଲି ସହିଦଙ୍କ ପରିବାର ସହ ଫୋନ ଯୋଗେ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।