ଗୁଜୁରାଟରୁ ଗଞ୍ଜାମ ଫେରିଲା ପାର୍ଥିବଶରୀର; ଯାତାୟତ ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର
ଓଡିଶା ଫାଷ୍ଟ ବ୍ୟୁରୋ: ଅର୍ଥ ଅଭାବରୁ ହୋଇ ପାରୁନଥିଲା ଅସ୍ତ୍ରୋପଚାର, ଓଡ଼ିଶା ମୋ ପରିବାର ସହାୟତାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅସ୍ତ୍ରୋପଚାର ସଫଳ ହୋଇଥିଲା କିନ୍ତୁ ଭାଗ୍ୟର ବିଡ଼ମ୍ବନା, ସବୁ ଚେଷ୍ଟା ସତ୍ତ୍ଵେ ରାମ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପର ମୁହୂର୍ତ୍ତରେ ପାର୍ଥିବଶରୀର ନିଜ ପୈତୃକ ଗ୍ରାମକୁ ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର ।
ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଗୋଲନ୍ଥରା ଗ୍ରାମର ୪୬ ବର୍ଷିୟ ବାସିନ୍ଦା ଜି. ରାମମୂର୍ତ୍ତି ରେଡ୍ଡୀ ଗୁଜୁରାଟରେ ରହି କାମ କରୁଥିଲେ । ଗତ ଅଗଷ୍ଟ ୧ ତାରିଖରେ ତାଙ୍କର ବ୍ରେନ ଷ୍ଟ୍ରୋକ ହେବାରୁ ପରିବାର ସଦସ୍ୟ ତାଙ୍କୁ ଗୁଜୁରାଟସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ ରୋଗୀକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା କରାଇବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ । ଦୁର୍ଭାଗ୍ୟବଶତଃ, ସମ୍ପୃକ୍ତ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ନଥିବାରୁ ହସ୍ପିଟାଲରେ ତାଙ୍କୁ ପଇସା ମଗା ଯାଇଥିଲା । ପରିବାର ବର୍ଗ ଉପାୟଶୂନ୍ୟ ହୋଇ ଓଡ଼ିଶା ମୋ ପରିବାରର ସାହାଯ୍ୟ ଲୋଡିଥିଲେ ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଗୁଜୁରାଟରେ ଥିବା ଓଡ଼ିଶା ମୋ ପରିବାରର ସ୍ପକ ଶ୍ରୀ ପ୍ରଦୀପ ସାହୁ ରୋଗୀକୁ ଅନ୍ୟ ଏକ ଘରୋଇ ହସ୍ପିଟାଲ୍ କୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକୀୟ ସାହାଯ୍ୟ କରିଥିଲେ । ତାଙ୍କର ଚିକିତ୍ସା ଏବଂ ଅସ୍ତ୍ରୋପଚାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସଫଳ ହୋଇଥିଲା ।
ଦୁର୍ଭାଗ୍ୟବଶତଃ, ତାଙ୍କୁ ବଞ୍ଚେଇ ରଖିବା ପାଇଁ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ଵେ ସେ ଗତ ଅଗଷ୍ଟ ୧୬ ତାରିଖରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ଏହାପରେ ପରିବାର ସଦସ୍ୟ ରାମଙ୍କ ମରଶରୀରକୁ ଗଞ୍ଜାମସ୍ଥିତ ତାଙ୍କ ଗ୍ରାମକୁ ନେବାପାଇଁ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଓଡ଼ିଶା ମୋ ପରିବାରକୁ ଅନୁରୋଧ କରିଥିଲେ । ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ରାମଙ୍କ ମରଶରୀର ଗଞ୍ଜାମସ୍ଥିତ ତାଙ୍କ ଗ୍ରାମକୁ ଫେରିବା ପାଇଁ ଯାତାୟାତ ସହାୟତା ଯୋଗାଇ ଦିଆଯାଇଥିଲା । ପାର୍ଥିବଶରୀର ଗଞ୍ଜାମରେ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ଶ୍ରୀ ସୁବାସ ମହାରଣା ଉପସ୍ଥିତ ରହି ପରିବାର ସଦସ୍ୟଙ୍କୁ ଆଶ୍ଵାସନା ଦେବା ସହିତ ଶେଷକୃତ୍ୟ ସମ୍ପନ୍ନରେ ସାହାଯ୍ୟ କରିଥିଲେ ।