ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମରେ ୧୪,୮୩୯ ୟୁନିଟ୍ ରକ୍ତ ସଂଗୃହୀତ; ସାଧୁବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ରାଜ୍ୟରେ ଯେଉଁ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଥିଲା ସେଥିରେ ୧୪,୮୩୯ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଗତ ଅଗଷ୍ଟ କ୍ରାନ୍ତି ଦିବସ(ଅଗଷ୍ଟ୯)ରୁ ସ୍ୱାଧୀନତା ଦିବସ(ଅଗଷ୍ଟ୧୫)ପର୍ଯ୍ୟନ୍ତ ଏକ ସପ୍ତାହ ଧରି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଓ ଅନ୍ୟାନ୍ୟ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋଭିଡ କଟକଣା ଯୋଗୁଁ ରାଜ୍ୟରେ ଯେଉଁ ରକ୍ତ ସଙ୍କଟ ଦେଖାଦେଇଥିଲା ତାହାର ଭରଣା ପାଇଁ ଏହି ଅଭିଯାନ ଅଭିପ୍ରୀତ ଥିଲା ବୋଲି ଓଡ଼ିଶା ମୋ ପରିବାର ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମ ସଠିକ୍ ଭାବେ ସଫଳ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ସାଧୁବାଦ ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ଲୋକଙ୍କ ଜୀବନ ବଂଚେଇବାଠାରୁ ଅଧିକ ପୁଣ୍ୟ ଆଉ କିଛି ନାହିଁ, କୋଭିଡ ସଙ୍କଟରେ ରକ୍ତଦାନ ପରି ମହତ କାର୍ଯ୍ୟ କରିଥିବା ସମସ୍ତ ଯୁବଗୋଷ୍ଠୀଙ୍କୁ ମୋର ସାଧୁବାଦ । ଅଗଷ୍ଟ କ୍ରାନ୍ତି ଦିବସରୁ ସପ୍ତାହବ୍ୟାପି ଆୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରୁ ୧୪,୮୩୯ୟୁନିଟ୍ ରକ୍ତ ସଂଗ୍ରହ କରି ଓଡ଼ିଶା ମୋ ପରିବାର ନୂଆ ମାଇଲଖୁଂଟ ସ୍ଥାପନ କରିଛି ।ଏଠାରେ ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସ୍ୱେଚ୍ଛାକୃତ ରକ୍ତଦାନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ କାର୍ଯ୍ୟକ୍ରମ ୨୦୧୫ ମସିହାରୁ ସାରା ରାଜ୍ୟରେ ଚାଲୁଛି ।

କୋଭିଡ ସମୟରେ ରକ୍ତର ଯେଉଁ ଉତ୍କଟ ଅଭାବ ଦେଖା ଦେଇଥିଲା ତାହାର ଦୂରୀକରଣ ପାଇଁ କୋଭିଡ ନିୟମାବଳୀର ଅନୁପାଳନ କରାଯାଇ ରାଜ୍ୟର ବିଭିନ୍ନ ସଦରମହକୁମା ସମେତ ଅନ୍ୟ କେତେକ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ସଂଗୃହୀତ ତଥ୍ୟ ଅନୁସାରେ କଟକ ସହରରେ ସର୍ବାଧିକ ୧୧୬୬ ୟୁନିଟ୍ , କଳାହାଣ୍ଡିରେ ୧୦୮୨ ୟୁନିଟ୍‌, ବଲାଙ୍ଗୀରରେ ୧୦୫୨ ୟୁନିଟ୍‌, ମୟୁରଭଞ୍ଜରେ ୯୮୭ ୟୁନିଟ୍‌, ବାଲେଶ୍ୱରରେ ୮୭୮ ୟୁନିଟ୍‌, କେନ୍ଦୁଝରରେ ୬୫୦ ୟୁନିଟ୍‌, ବରଗଡରେ ୬୨୭ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଗଞ୍ଜାମ ଭଳି ସମ୍ବେଦନଶୀଳ ଅଂଚଳରେ କୋଭିଡ ନିୟମ ଅନୁପାଳନ କରି ୩୫୪ ୟୁନିଟ୍ ରକ୍ତ ସଂଗ୍ରହ ଉଲ୍ଲେଖନୀୟ ବିଷୟ ।

ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ମୁଖ୍ୟ ସଂଯୋଜକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଜନପ୍ରତିନିଧିମାନେ ଉପସ୍ଥିତ ରହି ଏହି ମହତ୍ କାର୍ଯ୍ୟକୁ ପ୍ରୋତ୍ସାହିତ କରିଥିଲେ । ସମସ୍ତ ରକ୍ତଦାତା, ଶିବିର ଆୟୋଜନକାରୀ ଏବଂ ଜିଲ୍ଲା ସଂଯୋଜକମାନଙ୍କୁ ଓଡ଼ିଶା ମୋ ପରିବାର କୃତଜ୍ଞତା ଜଣାଉଛି । ଆଗାମୀ ଦିନରେ ଆବଶ୍ୟକ ମୁତାବକ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆବାହକ ଶ୍ରୀ ପଟ୍ଟନାୟକ ମତ ରଖିଛନ୍ତି ।

Leave a comment