ଦୁବାଇରେ ମୃତ ଓଡ଼ିଆ ଯୁବକର ଶବ ଆଣିବାରେ ସାହାଯ୍ୟ କଲା ଓଡ଼ିଶା-ମୋ ପରିବାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁବାଇରେ ନାମି ହୋଟେଲ ରାମାଡ ପ୍ଲାଜାରେ ଏକ ଦୁର୍ଘଟଣାରେ ଓଡ଼ିଶାରୁ ଯାଇ ସେଠାରେ କାମ କରୁଥିବା ଏକ ଯୁବକର ଗତ ୬ ତାରିଖ ଦିନ ମୃତ୍ୟୁ ହୋଇଛି । ସେଠାରୁ ତାଙ୍କର ମରଶରୀର ଓଡ଼ିଶା ଫେରାଇ ଆଣିବାରେ ଓଡ଼ିଶା-ମୋ ପରିବାର ସାହାଯ୍ୟ କଲା । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲାର ପୋଖରିଆପଡ଼ା ଗ୍ରାମର ତପନ ଭୋଳ ନାମକ ଏକ ଯୁବକ ଦୁବାଇସ୍ଥିତ ଏକ ନାମୀ ହୋଟେଲ ରାମାଡ଼ା ପ୍ଲାଜାରେ କାମ କରୁଥିଲେ । ଗତ ଫେବ୍ରୁଆରୀ ୬ ତାରିଖରେ କୌଣସି ଏକ ଦୁର୍ଘଟଣାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଭୋଳଙ୍କର ସାନଭାଇ ସମୀର ଭୋଳ ଓଡ଼ିଶା – ମୋ ପରିବାର ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରି ଏହି ଘଟଣା ବିଷୟରେ ଜଣାଇଥାଲେ ଏବଂ କହିଥିଲେ ଯେ, ସେଠାରୁ ତାଙ୍କର ଭାଇଙ୍କର ମରଶରୀର ଓଡ଼ିଶା ଆଣିବାରେ ବିଭିନ୍ନ ସମସ୍ୟା ଉପୁଜିଛି ।
ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ ହେଲାପରେ ତୁରନ୍ତ ମରଶରୀରକୁ ଫେରାଇଆଣିବାକୁ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଲେ । ତାଙ୍କ ନିର୍ଦ୍ଦେଶକ୍ରମେ ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ରାଜନଗର ବିଧାୟକ ଧୃବ ଚରଣ ସାହୁଙ୍କୁ ଯୋଗାଯୋଗ କରି ମରଶରୀର କିପରି ଓଡ଼ିଶା ଫେରିଆସିବ ସେଥିପାଇଁ ଆଲୋଚନା କରିଥିଲେ । ଓଡ଼ିଶା-ମୋ ପରିବାର ଆଇନୀ ପରାମର୍ଶଦାତା ତଥା ସୁପ୍ରିମ୍ କୋର୍ଟର ବରିଷ୍ଟ ଓକିଲ ଅବନୀ କୁମାର ସାହୁ ମଧ୍ୟ ଏ ବିଷୟକୁ ନୂଆଦିଲ୍ଲୀଠାରେ ଅବସ୍ଥିତ ଓଡ଼ିଶା ରେସିଡେଂଟ୍ କମିଶନରଙ୍କ ପାଖରେ ଉପସ୍ଥାପନା କରିଥିଲେ । ଏଥି ମଧ୍ୟରେ ଅରୁପ ପଟ୍ଟନାୟକଙ୍କ ଠାରୁ ସୂଚନା ପାଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଏ ବିଷୟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରିଥିଲେ । ସମସ୍ତ ପ୍ରକାର ପ୍ରଚେଷ୍ଟା ଫଳରେ ଆଜି ଏକ ବିମାନ ଯୋଗେ ଦୁବାଇରୁ ନୂଆଦିଲ୍ଲୀ ଏବଂ ଅନ୍ୟଏକ ବିମାନରେ ଆଜି ୨ଟା ୧୦ ମିନିଟ୍ରେ ଶ୍ରୀ ଭୋଳଙ୍କ ମରଶରୀର ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଲା ।
ବିମାନ ବନ୍ଦରରେ ମୋ-ପରିବାରର ସଦସ୍ୟା ଭାରତୀ ସିଂହ, ପୂର୍ବତନ କର୍ପରେଟର ସମୀର ପ୍ରଧାନ ଉପସ୍ଥିତ ରହି ମରଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିବା ସହିତ ତାଙ୍କ ଗ୍ରାମକୁ ଫେରାଇନେବାପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରିଥିଲେ ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ଏହି ମହତ୍ କାର୍ଯ୍ୟପାଇଁ ମୃତକଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ ।