ଦେଶର କମ୍ ଋଣ ନେବାରେ ଓଡ଼ିଶା ଦ୍ୱିତୀୟ
ମୁଣ୍ଡ ପିଛା ଋଣ ଭାର ୨୨,୮୨୭ ଟଙ୍କା

ଭୁବନେଶ୍ୱର : ସବୁଠୁ କମ୍ ଋଣ ନେବାରେ ଓଡ଼ିଶା ଦେଶର ଦ୍ୱିତୀୟ ରାଜ୍ୟ । ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨୨,୮୨୭ ଟଙ୍କା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ଋଣ ପରିମାଣ ୧ ଲକ୍ଷ ୬ ହଜାର କୋଟି ଟଙ୍କା ରହିଛି । ଋଣ କରି କେବଳ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରାଯାଉଛି । ମାର୍ଚ୍ଚ ୩୧ ପରେ କର୍ଣ୍ଣାଟକକୁ ପଛରେ ପକାଇ ଓଡ଼ିଶା ଏକ ନମ୍ବର ହେବ । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ।
ସୋମବାର ପ୍ରଶ୍ନୋତ୍ତର କାର୍ଯ୍ୟକାଳରେ କଂଗ୍ରେସ ବିଧାୟକ ସୁରେଶଚନ୍ଦ୍ର ରାଉତରାୟଙ୍କ ମୂଳପ୍ରଶ୍ନ ଏବଂ ଶାସକ ସଭ୍ୟ ପ୍ରଦୀପ କୁମାର ଅମାତ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା ଅଧିନିୟମ,୨୦୦୫ ଅନୁଯାୟୀ ରାଜ୍ୟର ସ୍ଥିତି ଭଲ ଅଛି। ରାଜ୍ୟର ଋଣଭାର ଜିଏସ୍ଡିପିର ୨୫ ପ୍ରତିଶତ ମଧ୍ୟରେ ସୀମିତ ରହିବା ସହ ସୁଧ ଦେୟ ଓ ମୋଟ୍ ରାଜସ୍ୱର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ସୀମିତ ରଖାଯିବା ନିୟମ ରହିଛି।
ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ୧ ଲକ୍ଷ ୬ ହଜାର କୋଟି ଟଙ୍କା ଋଣ ନେଇଥିଲେ ହେଁ ମାର୍ଚ୍ଚ ସୁଦ୍ଧା ୠଣ ପରିମାଣ ୧ ଲକ୍ଷ କୋଟି ଟଙ୍କା ଭିତରେ ରହିବ । ଏଫ୍ଆର୍ବିଏମ୍ ଆକ୍ଟ ଅନୁଯାୟୀ ରାଜ୍ୟର ଋଣ ଧାର୍ଯ୍ୟ ୨୫ ପ୍ରତିଶତ ଠାରୁ ବହୁତ ତଳେ ରହିଛୁ ବୋଲି ଶ୍ରୀ ପୁଜାରୀ ପ୍ରକାଶ କରିଥିଲେ ।