ରାଜଧାନୀ ଏକ୍ସପ୍ରେସ ବସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠୁ ରାଜଧାନୀ ଭୁବନେଶ୍ବରରୁ ରାଜ୍ୟର ୮ଟି ସ୍ଥାନକୁ ରାଜଧାନୀ ଏକ୍ସପ୍ରେସ ବସ ଚଳାଚଳ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହାର ଶୁଭାରମ୍ଭ କରିଛନ୍ତି । ବିଭିନ୍ନ ଜିଲ୍ଲାକୁ ଆରାମଦାୟକ ଯାତ୍ରା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୩ଟି ଏସି ବସ୍ ସାମିଲ କରାଯାଇଛି । ଏହି ବସ୍ ଗୁଡ଼ିକ ଭୁବନେଶ୍ୱର-ଫୁଲବାଣୀ, ଭୁବନେଶ୍ୱର-ରାଉରେକଲା, ଭୁବନେଶ୍ୱର-ଭବାନୀପାଟଣା, ଭୁବନେଶ୍ୱର-ଭଞ୍ଜନଗର, ଭୁବନେଶ୍ୱର -ରାଜଗାଙ୍ଗପୁର, ଭୁବନେଶ୍ୱର-ରାଜ ଖରିଆର, ଭୁବନେଶ୍ୱର-ଗୋରୁ ମହିଶାଣି, ଭୁବନେଶ୍ୱର-ବୁର୍ଲା (ଭାୟା-ସମ୍ବଲପୁର)କୁ ଯାତାୟାତ କରିବ । ଏହା ବ୍ୟତୀତ ୪ଟି ଭଲଭୋ ବସର ମଧ୍ୟ ଶୁଭାରମ୍ଭ କରାଯିବ । ଏହି ବସଗୁଡିକ ଆନ୍ତଃରାଜ୍ୟ ଯାତ୍ରୀ ପରିବହନ ପାଇଁ ଭୁବନେଶ୍ୱର-କୋଲକତା ଓ ପାରାଦୀପ-ବିଜୟୱାଡା ଯାତାୟାତ କରିବ । ଓଡିଶା ରାଜ୍ୟ ପରିବହନ ନିଗମ ପକ୍ଷରୁ ଯୋଗାଇ ଦିଆଯାଇଥିବା ଏହି ବସ୍ ଗୁଡ଼ିକ ପାଇଁ ମୋଟ ୧୬କୋଟି ଖର୍ଚ୍ଚ କରାଯାଇଛି । ସମସ୍ତ ବସ୍ ରେ ମାଗଣା ଓ୍ବାଇଫାଇ, ସିସିଟିଭି, ମୋବାଇଲ ଚାର୍ଜିଂ ପଏଣ୍ଟ, ଟ୍ରାକିଂ ମେସିନ ଓ ପାନୀୟ ଜଳର ସୁବିଧା ରହିଛି । ଲୋକମାନେ ଏହି ବସ୍ ରେ ଯାତ୍ରା କରିବା ପାଇଁ ଅନଲାଇନରେ ଟିକେଟ କରିପାରିବେ ।