୨୪ରେ ୬ଘଣ୍ଟିଆ ଭୁବନେଶ୍ୱର ବନ୍ଦ ପାଳନ କରିବ ବିଜେଡି

0

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଭରତପୁର ଥାନା ଘଟଣାକୁ ନେଇ ଆସନ୍ତା ୨୪ ତାରିଖ ମଙ୍ଗଳବାର ଦିନ ୬ଘଣ୍ଟା ପାଇଁ ହରତାଳ(ଚକ ବନ୍ଦ, ଅଖ ବନ୍ଦ) ଡାକରା ଦେଇଛି ବିଜୁ ଜନତା ଦଳ । ଶଙ୍ଖଭବନଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରାସଦ ମିଶ୍ର ଏହି ସୂଚନା ଦେଇଛନ୍ତି । ଭରତପୁରଠାରେ ଘଟିଥିବା ଘଟଣା କେବଳ ରାଜ୍ୟ ନୁହେଁ ସାରା ଦେଶରେ ଓଡିଶାର ସମ୍ମାନ ତଳକୁ ଯାଇଛି । ଏହି ଘଟଣାକୁ ନେଇ ଓଡିଶା ତଥା ସାରା ଦେଶରେ ସିଭିଲ ସୋସାଇଟିଠାରୁ ଆରମ୍ଭ କରି ବିଭିନ୍ନ ବର୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ରାଜ୍ୟ ବିଜେପି ସରକାର କ୍ଷମତାକୁ ଆସିବାର ୧୦୦ ଦିନ ପୂରଣକୁ ନେଇ ବିଜେପି ଉତ୍ସବ ପାଳନରେ ମସଗୁଲ ଥିଲା ବେଳେ ଭରତପୁର ଥାନା ଲଜ୍ଜା ଘଟଣା ଲୋକଲୋଚନକୁ ଆସିଛି । ୧୦୦ ଦିନର ଯାତ୍ରାର ଆରମ୍ଭରେ ରାଜ୍ୟପାଳଙ୍କ ପୁଅ ଦ୍ୱାରା ଆକ୍ରମଣର ଶୀକାର ହୋଇଥିଲେ ଏଏସ୍‌ଓ ଅଧିକାରୀ ଓ ୧୦୦ ଦିନର ପୂର୍ତ୍ତିର ଠିକ୍ ପୂର୍ବରୁ ଭରତପୁର ଥାନା ଲଜ୍ଜା ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ବିଧାୟକ ଅରୁଣ ସାହୁ କହିଥିଲେ, ଏହି ଲଜ୍ଜାଜନକ ଘଟଣାକୁ ରାଜ୍ୟ ସରକାର ଚପାଇଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିଆସୁଛନ୍ତି । ଏହି ଘଟଣା ୧୪ ତାରିଖ ରାତିରେ ଘଟିଥିଲେ ହେଁ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଚପାଇ ଦେଇଥିଲେ । କିନ୍ତୁ ପୀଡିତା ହାଇକୋର୍ଟରୁ ଜାମିନ ପାଇବା ପରେ ଏହି ଘଟଣାଟି ସେପ୍ଟେମ୍ବର ୧୮ ତାରିଖ ଦିନ ଲୋକଲୋଚନକୁ ଆସିଥିଲା । ପରେ ପୀଡିତା ଅଙ୍କିତା ପ୍ରଧାନ ଏମ୍ସରେ ଚିକିତ୍ସାଧୀନ ଥିବା ଅବସ୍ଥାରେ, ଗଣମାଧ୍ୟମ ସମ୍ମୁଖରେ ସଂପୂର୍ଣ୍ଣ ଘଟଣାକୁ କ୍ରନ୍ଦନରତ ଅବସ୍ଥାରେ ବର୍ଣ୍ଣନା କରିବା ସହ ତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଆକୁଳନ ନିବେଦନ କରିଥିଲେ ।

ଆଶ୍ଚର୍ଯ୍ୟର କଥା ଜଣେ ଉଚ୍ଚପଦସ୍ତ ପୋଲିସ ଅଧିକାରୀ ଘଟଣାକୁ ସଂପୂର୍ଣ୍ଣ ଅନୁଧ୍ୟାନ ନକରି ସେପ୍ଟେମ୍ବର ୧୭ ତାରିଖ ଦିନ ଏକ ଜାତୀୟ ଗଣମାଧ୍ୟମକୁ କେଉଁ ଆଧାରରେ ଦାୟିତ୍ୱହୀନ ଭାବେ ଭରତପୁର ପୋଲିସକୁ କ୍ଲିନଚିଟ୍ ଦେଇଥିଲେ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଥିଲେ । ସେହିପରି ଥାନା ଭିତରର ଭିଡିଓ ରେକର୍ଡିଂ ଗଣମାଧ୍ୟମରେ ଘୁରିବୁଲିଲା କିପରି? ପବ୍ ଭିତରର ଭିଡିଓ ପୋଲିସ ଜବତ କଲା ପରେ ଏହା ଗଣମାଧ୍ୟମକୁ କିପରି ଆସିଲା? ଜଣେ ପୀଡିତା କ’ଣ ଖାଉଥିଲେ, କ’ଣ ପିନ୍ଧିଥିଲେ ଏହାର ପ୍ରଚାର କରି ପୀଡିତା ମହିଳାଙ୍କୁ କାହିଁକି ନିନ୍ଦିତ କରାଗଲା?

ସରକାର ଓ ଭାରତୀୟ ଜନତା ପାର୍ଟିର ମୁଖପାତ୍ରମାନେ ଓ ବିଜେପି ସମର୍ଥିତ ସାମାଜିକ ଗଣମାଧ୍ୟମମାନେ ପୀଡିତାଙ୍କୁ ଅପନିନ୍ଦିତ କରିବାକୁ ଅଣ୍ଟାଭିଡି ଲାଗି ପଡିଛନ୍ତି । ଯଦି ଏ ସରକାର ପୀଡିତାଙ୍କୁ ନ୍ୟାୟ ଦେବା କଥା କହୁଛନ୍ତି, ତାହା ହେଲେ ଏଭଳି ନିନ୍ଦିତ କାର୍ଯ୍ୟ କାହିଁକି କରୁଛନ୍ତି । ଜଣେ ମହିଳା ସାହସର ସହିତ ଦୃବୃର୍ତ୍ତମାନଙ୍କୁ ସାମ୍ନା କଲା ପରେ ତାଙ୍କୁ ପ୍ରଶଂସା କରିବା ବଦଳରେ ତାଙ୍କୁ ନିଚ୍ଚା ଦେଖାଇବାର ଅପଚେଷ୍ଟା କାହିଁକି କରାଯାଉଛି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଥିଲେ ।

ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା କହିଥିଲେ, ୬ଘଣ୍ଟିଆ ହରତାଳ ସମୟରେ ସୂଚନା ଦେଇ କହିଥିଲେ, ଜରୁରୀକାଳୀନ ସେବାକୁ ବାଦ ଦେଇ ଏହି ହରତାଳ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ବିଭୂତି ବଳବନ୍ତରାୟ, ବ୍ୟୋମକେଶ ରାୟ, ଦେବୀରଂଜନ ତ୍ରିପାଠୀ, ନବକିଶୋର ମଲ୍ଲିକ, ସାଂସଦ ସୁଲତା ଦେଓ, ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment