ସତ୍ୟବାଦୀଠାରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲା ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ପ୍ରଥମ ଐତିହ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବରିଷ୍ଠ ଅଧିକାରୀମାନେ ଜମି ଚିହ୍ନଟ କରିବା ପରେ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି । ସତ୍ୟବାଦୀ ବକୁଳବନକୁ ସଂଲଗ୍ନ ଜମିରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ । ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ଏଠାରେ ସୂଚନାଯୋଗ୍ୟ ଯେ ସତ୍ୟବାଦୀର ବକୁଳବନ ଓ ପଞ୍ଚସଖା ପୀଠର ବିକାଶ ପାଇଁ ରାଜ୍ୟ ସରକାର ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୭ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହି ଅର୍ଥରେ ସତ୍ୟବାଦୀର ବକୁଳବନକୁ ଏକ ଆଧ୍ୟାତ୍ମିକ ପୀଠରେ ପରିଣତ କରାଯିବ । ସାକ୍ଷୀଗୋପୀନାଥ, ଗୁପ୍ତ ବୃନ୍ଦାବନର ଉନ୍ନତି ପାଇଁ ଭିତ୍ତିଭୂମିର ବିକାଶ କରାଯିବ । 

Leave a comment