ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ବିୟୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଲିଉଡ଼ର ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ସୋମବାର ବିଳମ୍ବିତ ରାତିରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ସଲିଲଙ୍କ ବିୟୋଗରେ ଓଲିଉଡ ଜଗତ ଓ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଆ ଚଳଚ୍ଚିତ୍ର ସହିତ ଧାରାବାହିକରେ ମଧ୍ୟ ଜଣେ ହାସ୍ୟ ଅଭିନେତା ଭାବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

ସୂଚନାଥାଉ କି, ଗତ ମେ’ ୧୨ ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁ କଲେଜ ଛକ ନିକଟରେ ସଲିଲଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ଗାଈ ଗାଡ଼ି ଆଗକୁ ଚାଲି ଆସିଵାରୁ ଡ୍ରାଇଭର ଷ୍ଟିୟରିଂ ଛାଡି ଦେଇଥିଲେ । ଫଳରେ କାର୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ସଲିଲ ଗୁରୁତର ହୋଇପଡିଥିଲେ । ତାଙ୍କ ଛାତି ଓ ମେରୁଦଣ୍ଡରେ ଜୋରରେ ଜୋରରେ ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଘଟଗାଁ ଡାକ୍ତରଖାନା ନିଆଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ଏଠାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପୁଅ ଭାଙ୍ଗିଦେଲା ସୁନା ସଂସାର’ ଚଳଚ୍ଚିତ୍ରରୁ ସଲିଲ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ଲଭ୍ ଷ୍ଟେସନ୍, ମହାନାୟକ, ଗପ ହେଲେ ବି ସତ ଓ ସିଷ୍ଟର ଶ୍ରୀଦେବୀରେ ଚମତ୍କାର ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣି ପାରିଥିଲେ ।

Leave a comment