ଲୋକସଭାରେ ଦୁଇ ଓଡ଼ିଆ ସାଂସଦ ପ୍ରତାପ ଓ ଭର୍ତ୍ତୃହରିଙ୍କ ଶପଥ ଗ୍ରହଣକୁ ନେଇ ଚର୍ଚ୍ଚା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଗତକାଲି ଠାରୁ ଆରମ୍ଭ ହୋଇଛି । ଆସନ୍ତା ୧୯ରେ ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଅସ୍ଥାୟୀ ବାଚସ୍ପତି ବୀରେନ୍ଦ୍ର କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି ଏହି ଅବସରରେ ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ନୂଆ ଲୋକ ସଭାର ବଜେଟ ଅଧିବେଶନର ପ୍ରଥମଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ପି ଭାବେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୋଦିଙ୍କ ପରେ ରାଜନାଥ ସିଂ ଏବଂ ତାଙ୍କ ପରେ ଅମିତ ଶାହ ଏମ୍ପି ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।
ଲୋକସଭା ସଦସ୍ୟ ଭାବେ ଗତକାଲି ଶପଥଗ୍ରହଣ କରିଥିଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ମନ୍ତ୍ରୀ ଭାବେ ହିନ୍ଦୀରେ ଶପଥ ନେଇଥିବା ଷଡ଼ଙ୍ଗୀ ଲୋକସଭାର ସଦସ୍ୟ ଭାବେ ସଂସ୍କୃତରେ ଶପଥ ଗ୍ରହଣ କରିଥିଲେ । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସମସ୍ତଙ୍କ ଆକର୍ଷଣୀୟର କେନ୍ଦ୍ରବିନ୍ଦୁରେ ରହିଛନ୍ତି । ଶ୍ରୀ ଷଡ଼ଙ୍ଗୀ ଗତକାଲି ଲୋକସଭା ସଦସ୍ୟ ଭାବେ ଶପଥ ନେବାକୁ ଯିବା ସମୟରେ ତାଙ୍କୁ ଗୃହର ବଜେପି ଓ ବିରୋଧୀ ଦଳର ସଦସ୍ୟମାନେ ଟେବୁଲ ବାଡେଇ ସ୍ୱାଗତ ଜଣାଇଥିଲେ । ଅନ୍ୟ କୌଣସି ସାଂସଦଙ୍କୁ ଏଭଳି ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିନଥିଲା ।
ସେହିପରି ଆଉଜଣେ ଓଡ଼ିଆ ସାଂସଦ ବିଜେଡିର ଭର୍ତ୍ତୃହରି ମହତାବ ଓଡ଼ିଆରେ ଶପଥ ନେଇଥିଲେ । ସେ ଓଡ଼ିଆରେ ଶପଥ ପାଠ କରିବା ଆରମ୍ଭ କରିବା କ୍ଷଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ କିଛି କେନ୍ଦ୍ରମନ୍ତ୍ରୀ ଟେବୁଲ ବାଡ଼େଇ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନିଜେ ଭର୍ତ୍ତୃହରିଙ୍କ ଶପଥପାଠ ସମୟରେ ଟେବୁଲ ବାଡ଼େଇ ସ୍ୱାଗତ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଭର୍ତ୍ତୃହରି ମଧ୍ୟ ଶପଥ ନେଇସାରିବା ପରେ ମୋଦିଙ୍କ ନିକଟକୁ ଯାଇ ହାତ ମିଳାଇଥିଲେ ।