ଶପଥ ନେଲେ ସରପଞ୍ଚ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟର ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ଶପଥ କରାଇଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ ସରପଞ୍ଚମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।
ଏହି ଅବସରରେ ସରପଞ୍ଚମାନେ ଗାଁରେ କରୋନାକୁ ପଶେଇ ନ ଦେବାକୁ ଶପଥ ନେଇଛନ୍ତି। ଗାଁକୁ ବାହାରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରଖିବାକୁ ସରପଞ୍ଚମାନେ ଶପଥ ନେଇଛନ୍ତି । ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରାଯିବ । କରୋନାକୁ ରୋକିବା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କରୋନା ରୋକିବା ପାଇଁ ଦିଆଯାଇଥିବା ଦାୟିତ୍ୱ ଓ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବାକୁ ସରପଞ୍ଚମାନେ ଶପଥ ନେଇଛନ୍ତି।
ସୂଚନାଯୋଗ୍ୟ, କରୋନାକୁ ରୋକିବା ଲାଗି ସରପଞ୍ଚ, ଓ୍ବାର୍ଡ ମେମ୍ବର୍ ଓ ଆଶାକର୍ମୀଙ୍କୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ନୂଆ ନୂଆ ରଣନୀତିମାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ କରୋନା ମୁକାବିଲା ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।