ବଢିଲା ନୂପୁର ଶର୍ମାଙ୍କ ଅଡୁଆ: ନୂପୁରଙ୍କ ସମେତ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କିଛି ଦିନ ତଳେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କ ସମେତ ଅନେକଙ୍କ ନାଁରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ସାଇବର ୟୁନିଟ୍। ବଢିଲା ନୂପୁର ଶର୍ମାଙ୍କ ଅଡୁଆ । ଭିନ୍ନ ଭିନ୍ନ ଧର୍ମ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରୁଥିବା ଅଭିଯୋଗରେ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ନୂପୁରଙ୍କ ବ୍ୟତୀତ ଆଉ ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି, ସେମାନେ ହେଉଛନ୍ତି, ବିଜେପିରୁ ବହିଷ୍କୃତ ନେତା ନବୀନ କୁମାର ଜିନ୍ଦଲ, ଲେଖିକା ସବା ନକିବ, ଶାଦବ ଚୌହାନ, ରାଜସ୍ଥାନର ମୌଲାନା ମୁଫ୍‌ତୀ ନଦୀମ ଓ ପୂଜା ଶକୁନ । ସମସ୍ତଙ୍କ ନାମରେ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି । ଏମାନଙ୍କ ନାମରେ ଲୋକଙ୍କ ଭାବନାକୁ କଷ୍ଟ ପହଞ୍ଚାଇଥିବା ଅଭିଯୋଗ ହୋଇଛି । ସେହିପରି ଅନ୍ୟ ଏକ ମାମଲାରେ ମିଡିଆର ବ୍ୟବହାର କରିଥିବା କିଛି ଲୋକଙ୍କ ବିରୋଧରେ ହୋଇଛି ।

ପ୍ରକାଶ ଥାଉ କି, ଏକ ଟେଲିଭିଜନ ବିତର୍କରେ ଭାଗ ନେଇ ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏହା ପରେ ସେ ବିବାଦରେ ପଡିଥିଲେ । ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ପ୍ରବକ୍ତା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ଦଳରୁ ନିଲମ୍ବିତ କରିଥିଲା । ସୂଚନାଯୋଗ୍ୟ ଯେ, ନୂପୁର ଶର୍ମାଙ୍କ ଇସଲାମ ବିରୋଧୀ ମନ୍ତବ୍ୟ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହେଇଯାଇଛି ।

Leave a comment