ୟୁଜିସିର ନୂଆ ଅଧ୍ୟକ୍ଷ ହେଲେ ଏମ ଜଗଦେଶ କୁମାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର (ଜେଏନୟୁ)ର କୁଳପତି ଏମ ଜଗଦେଶ କୁମାରଙ୍କୁ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ସୂଚନା ଦେଇଛନ୍ତି । ଜଗଦେଶଙ୍କ କାର୍ଯ୍ୟକାଳ ସମୟରେ ଜେଏନୟୁରେ ଅନେକ ବିବାଦ ଲାଗି ରହିଥିଲା । ଗତବର୍ଷ ଜେଏନୟୁରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ସେ ବର୍ତ୍ତମାନ କାର୍ଯ୍ୟବାହକ କୁଳପତି ଭାବେ ଦାୟିତ୍ୱ ତୁଲାଉଥିଲେ।
ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହାର ସୂଚନା ଦେଇ କହିଛନ୍ତି “ଜଗଦେଶ କୁମାରଙ୍କୁ ୟୁଜିସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି” । ପ୍ରଫେସର ଜିସି ସିଂହଙ୍କର ୬୫ ବର୍ଷ ବୟସ ହୋଇଥିବାରୁ ସେ ୟୁଜିସିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଡିସେମ୍ବର ମାସରୁ ଏହି ପଦ ଖାଲି ରହିଥିଲା। ୨୦୧୮ରେ ଜିସି ସିଂହ ୟୁଜିସିର ଅଧ୍ୟକ୍ଷ କାର୍ଯ୍ୟଭାର ସମ୍ଭାଳି ଥିଲେ । ଏବେ ଉଚ୍ଚଶିକ୍ଷା ନିୟାମକର ଅଧ୍ୟକ୍ଷ ପଦ ମଧ୍ୟ ଖାଲି ରହିଛି।
ଜଗଦେଶ କୁମାରଙ୍କୁ ଜାନୁଆରୀ ୨୦୧୬ରେ ଜେଏନୟୁର କୁଳପତି ଭାବେ ନିଯୁକ୍ତ କରାଯାଇଥିଲା। ଜେଏନୟୁରେ ଏମ ଜଗଦେଶ କୁମାରଙ୍କ ସ୍ଥାନ କିଏ ଗ୍ରହଣ କରିବେ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ତାହା ସ୍ଥିର କରିନାହିଁ। ଏମ ଜଗଦେଶ କୁମାର ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି) ମାଡ୍ରାସରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ଏମଏସ ଓ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।