ମିଷ୍ଟର କହ୍ନେୟା ଫିଲ୍ମ ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥାକୁ ହେବ ନୋଟିସ: ଡିସିପି ଅନୁପ ସାହୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମିଷ୍ଟର କହ୍ନେୟା ଫିଲ୍ମ ପୋଷ୍ଟରକୁ ନେଇ ହୋଇଥିବା ଅଭିଯୋଗ ସମ୍ୱନ୍ଧରେ ସୂଚନା ଦେବାକୁ ଯାଇ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ଖୁବଶୀଘ୍ର ଫିଲ୍ମ ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥାକୁ ନୋଟିସ ହେବ । ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନା ଅନୁଯାୟୀ, ଗତକାଲି ସୋସିଆଲ ମିଡିଆରେ କମେଡି କିଙ୍ଗ ପପୁ ପମପମଙ୍କ ଆଗାମୀ ଚଳଚ୍ଚିତ୍ରର ଏକ ପୋଷ୍ଟର ଭାଇରଲ ହୋଇଥିଲା । ଯାହାକୁ ନେଇ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଭୁବନେଶ୍ୱର ମହିଳା ଥାନା ସମେତ ମହିଳା କମିସନରେ ଅଭଯୋଗ କରିଥିଲେ । ତାଙ୍କ ଅଭିଯୋଗ ମୁତାବକ ପୋଷ୍ଟରରେ ମହିଳାଙ୍କୁ ଅପମାନ କରାଯାଇଛି । ଅବଶ୍ୟ ଏହି ପୋଷ୍ଟରକୁ ନେଇ ଅନେକ ମହଲରୁ ଏହାକୁ ନାପସନ୍ଦ କରାଯିବା ସହ ବିରୋଧର ସ୍ୱର ଉତ୍ତୋଳନ ହୋଇଥିଲା ।
ଅପରପକ୍ଷରେ କମେଡି କିଙ୍ଗ ପପୁ ପମପମ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମହିଳାଙ୍କୁ ସେ ଅସମ୍ମାନ କରିନାହାନ୍ତି । ଏହା ଏକ ପ୍ରେରଣାଦାୟୀ ଫିଲ୍ମ । ଏବଂ ଏହି ପୋଷ୍ଟର ତିଆରି ପ୍ରଯୋଜନା ସଂସ୍ଥାର କୌଣସି ହାତ ନାହିଁ ।
ସେହିପରି ପ୍ରେଯାଜନା ସଂସ୍ଥା ସାର୍ଥକ ମୁଜିକ ତରଫରୁ ଦିଆଯାଇଥିବା ବୟାନ ଅନୁଯାୟୀ, ପ୍ରଯୋଜନା ସଂସ୍ଥା ପକ୍ଷରୁ ଏଭଳି କୌଣସି ପୋଷ୍ଟର ରିଲିଜ କରାଯାଇନାହିଁ । ଏପରିକି ଭାଇରାଲ ହେଉଥିବା ପୋଷ୍ଟରର ଥିମ ଓ ଫିଲ୍ମର ଥିମ ସଂପୂର୍ଣ୍ଣ ଭିନ୍ନ । ପୋଷ୍ଟରରେ ୭ଜଣ ଝିଅଙ୍କୁ ଦେଖାଯାଉଥିବା ବେଳେ ଫିଲ୍ମରେ ପପୁ କରିଥିବା ଚରିତ୍ର କେବଳ ଜଣେ ଝିଅ ସହ ପ୍ରେମରେ ପଡିଥିବା ଚିତ୍ରଣ ହୋଇଛି । ଏପରିକି ଫିଲ୍ମର ମୁଖ୍ୟ ଚରିତ୍ର ଭିତରେ ମହିଳାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି । ଫିଲ୍ମରେ ପପୁ କରିଥିବା ଚରିତ୍ର ବିଭିନ୍ନ ସମୟରେ କଳ୍ପନା ଦାସ ଓ ଦୂତି ଚାନ୍ଦଙ୍କ ଭଳି ପ୍ରତିଭାବାନ କ୍ରୀଡାବିତଙ୍କ ଉଦାହରଣ ଦେଉଥିବା ଚିତ୍ରିତ ହୋଇଛି । ତେଣୁ ଭାଇରାଲ ହେଉଥିବା ପୋଷ୍ଟରକୁ ଧ୍ୟାନ ନଦେବା ପାଇଁ ଜନତାଙ୍କୁ ଅନୁରୋଧ କରିଛି ପ୍ରଯୋଜନା ସଂସ୍ଥା ସାର୍ଥକ ମୁଜିକ ।