ପୋଷ୍ଟର ଲଗାଇ ଭୋଟ ବର୍ଜନ ଚେତାବନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଯେତେ ନିକଟତ୍ତର ହେଉଛି ନିଜ ଅଞ୍ଚଳ ଅସୁବିଧାକୁ ସରକାରଙ୍କ ସମ୍ମୁଖକୁ ଆଣିବାକୁ ଅନେକ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଉଛନ୍ତି । ଉକ୍ତ ଗ୍ରାମବାସୀ ମାନେ ନିଜ ଅଞ୍ଚଳ ଅସୁବିଧା ନେଇ ସ୍ଥାନୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ତେଣୁ ସେମାନେ ଭୋଟ ବର୍ଜନ ପରି ଚରମ ନିଷ୍ପତ୍ତି ନେଇଥିବା କହିଛନ୍ତି । ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ନିର୍ବାଚନ ଥିବାରୁ ନେତାଙ୍କ ଦେଖା ମିଳୁଛି । ନିର୍ବାଚନ ପରେ ସେମାନେ ନେତାଙ୍କ ପଦଚିହ୍ନ ମଧ୍ୟ ଦେଖିବାକୁ ପାଉନାହାଁନ୍ତି । ତାଙ୍କ ଦୁଃଖ ବୁଝିବ କିଏ । ଏହିପରି କିଛି ଅଭିଯୋଗ କରବା ସହ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ସନ୍ଧିବାହାଲ ଗ୍ରାମ ପଞ୍ଚାୟତ ଜଡ଼ାମୁଣ୍ଡା ଗ୍ରାମବାସୀ । ସେହିପରି ଗାଁ ମୁଣ୍ଡରେ ଭୋଟ ବର୍ଜନର ପୋଷ୍ଟର ଲଗାଇ ଏହାର ପ୍ରତିବାଦ କରିଛନ୍ତି ।

ସୂଚନା ଅନୁଯାୟୀ, ଜଡ଼ାମୁଣ୍ଡା ଗ୍ରାମରେ ୧୯୭୨ ମସିହା ପ୍ରାଥମିକ ସରକାରୀ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ହେଲେ ସରକାର ସ୍କୁଲକୁ ଉଚ୍ଛେଦ କରି ଜାମୁଟବାହାଲକୁ ସ୍ଥାନାନ୍ତର କରି ଦେଇଛନ୍ତି । ଆଦିବାସୀ ବହୁଳ ଗ୍ରାମରେ ସମସ୍ତେ ଖଟିଖିଆ ଦିନ ମଜୁରିଆ ହୋଇଥିବା ବେଳେ ଏହା ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ଅଞ୍ଚଳ। ଯେଉଁଠାରେ କି ଜଙ୍ଗଲରୁ ବିଭିନ୍ନ ପ୍ରକାର ଜନ୍ତୁ ଚାଲି ଆସିଥାନ୍ତି । ଏପରିକି ଦନ୍ତା ହାତୀ ଚଲାପଥ ରାସ୍ତା ମଧ୍ୟ ଏଠାରେ ରହିଛି । ଏଭଳି ସ୍ଥିତିରେ ପିଲାମାନେ ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ ଯିବା ଆସିବା କରୁଛନ୍ତି। ତେଣୁ ସରକାର ଉଚ୍ଛେଦ କରିଥିବା ଜଡ଼ାମୁଣ୍ଡା ପ୍ରାଥମିକ ବିଦ୍ୟାଳୟକୁ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଗାଁ ଲୋକେ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ସ୍କୁଲ ଉଚ୍ଛେଦ ପ୍ରତ୍ୟାହାର ଦାବିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ତେଣୁ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତ୍ୟାହାର ନକଲା ଯାଏଁ ଗ୍ରାମବାସୀମାନେ ଭୋଟ ଦେବେ ନାହିଁ ବୋଲି ଭୋଟ ବର୍ଜନ ପୋଷ୍ଟର ଲଗାଇ ପ୍ରତିବାଦ କରିଛନ୍ତି।

Leave a comment