ଡାକ୍ତର, ନର୍ସ ଓ ସିକ୍ୟୁରିଟି ଗାର୍ଡଙ୍କୁ ମାଡ : ସିସିଟିଭିରେ କଏଦ ହେଲା ଭିଡିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଜଣେ କାର୍ଯ୍ୟରତ ଡାକ୍ତର, ନର୍ସ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ଦୁଇ ଦୁର୍ବୃତ୍ତ ମାଡ ମାରିଛନ୍ତି । ଦୁର୍ବୃତ୍ତଙ୍କ ମାଡରେ ଡାକ୍ତର ରତିରଞ୍ଜନ ସ୍ଵାଇଁ ଆହତ ହୋଇଛନ୍ତି । ମାଡ ମାରିବାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ସୋମବାର ରାତି ପ୍ରାୟ ୧୧ଟା ସମୟରେ ଡାକ୍ତର ରତିରଞ୍ଜନ ସ୍ଵାଇଁ ମେଡିକାଲରେ ରେଗୀ ଚିକିତ୍ସା କରୁଥିଲେ । ଏହି ସମୟରେ ଅଠାର ଗ୍ରାମର ଚିତରଞ୍ଜନ ବେହେରା ସ୍ଵାସ୍ଥ୍ୟ ସମସ୍ୟା ଥିବାରୁ ମେଡିକାଲ ଆସିଥିଲେ । ଡାକ୍ତର ରତିରଞ୍ଜନ ଏକ ଇଞ୍ଜେକସନ୍ ଦେବାପାଇଁ ପ୍ରେସକ୍ରାଇବ୍ କରିଥିଲେ । କାର୍ଯ୍ୟରତ ନର୍ସ ସିଲା ସାହୁ ଇଞ୍ଜେକସନ୍ ଦେବାକୁ ଆସିବା ଭିତରେ କାହିଁକି ବିଳମ୍ବ ହେଉଛି ବୋଲି ଚିତରଞ୍ଜନ ଏବଂ ତାଙ୍କର ଜଣେ ସହଯୋଗୀ ପାଟିତୁଣ୍ଡ କରିଥିଲେ । ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବା ବେଳେ ସେମାନେ ଡାକ୍ତର ରତିରଞ୍ଜନ, ନର୍ସ ସିଲା ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଥିଲେ।
ଦୁର୍ବୃତ୍ତଙ୍କ ମାଡରେ ତିନି ଜଣ ଆହତ ହୋଇଛନ୍ତି । ମାଡ ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁଇ ଦୁର୍ବୃତ୍ତ । ଖବର ପାଇ ବାଲିପାଟଣା ପୋଲିସ ମେଡିକାଲ ପରିସରରେ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।