ମଧ୍ୟମରୁ ବିଶାଳ ସମାବେଶ ସହ ନାମାଙ୍କନ ଦାଖଲ କଲେ ଜଗନ୍ନାଥ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମାଧ୍ୟମ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ଆଜି ଏକ ବିଶାଳ ଶୋଭାଯାତ୍ରାରେ ଆସି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ।

ସୂଚନା ଅନୁଯାୟୀ, ବିଜେପି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଜଗନ୍ନାଥ ବମିଖାଲ ଦୁର୍ଗାମଣ୍ଡପଠାରୁ ଏକ ବିଶାଳ ରାଲି ବାହାରି ସହର ପରିକ୍ରମା କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପରେ ଶ୍ରୀ ପ୍ରଧାନ କହିଛନ୍ତି, ଭୁବନେଶ୍ୱରର ବିକାଶ ମୋର ମୂଳ ଲକ୍ଷ୍ୟ ଓ ଭୁବନେଶ୍ୱର ଜନସାଧାରଣ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସମଥର୍ନ କରି ମୋତେ ବହୁ ସଂଖ୍ୟାରେ ଆଶିର୍ବାଦ ଦେବେ ବୋଲି ମୋର ବିଶ୍ୱାସ ରହିଛି ।

ପ୍ରଧାନମନ୍ତ୍ରୀ ମୋଦି ଜୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଦର୍ଶରେ ମୁଁ ଏହି ନିର୍ବାଚନ ଲଢ଼ିବାକୁ ଯାଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । ମଧ୍ୟମ ନିର୍ବାଚନ ମଣ୍ଡଳୀରେ ବହୁ ସମସ୍ୟା ରହିଛି ଓ ପୂର୍ବରୁ ନିର୍ବାଚିତ ପ୍ରତିନିଧିମାନେ ଏହାର ସମାଧାନ କରିବାରେ ବିଫଳ ହୋଇଛନ୍ତି । ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସୁଖ-ଦୁଃଖରେ ସେମାନଙ୍କ ସହ ରହିଆସିଛି ଓ ଚଳିତ ନିର୍ବାଚନରେ ଭୋଟର ଭାଇ ଭଉଣୀମାନେ ମୋତେ ବିଜୟ କରାଇବେ ବୋଲି ଆଶା ରଖିଛି ।

ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଘରେ ଘରେ ବୁଲି ମୋଦି ଜୀ ଙ୍କ ବିକାଶ ନାରାକୁ ପହଞ୍ଚାଇବା ସହ ପ୍ରଚାର ଅଭିଯାନକୁ ଜୋରଦାର୍ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ହଜାର ହଜାର ସଂଖ୍ୟକ ସମର୍ଥକଙ୍କ ସହ ହର ହର ମୋଦି ଓ ଜଗାଭାଇ ଜିନ୍ଦାବାଦ ନାରାରେ ଶୋଭାଯାତ୍ରା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକମ୍ପିତ ହୋଇଥିଲା ।

Leave a comment