ଜିରୋ ନାଇଟ୍ ହେବ ଫିକା, ପଢ଼ନ୍ତୁ ନୂଆ ଗାଇଡ଼ଲାଇନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱର ପ୍ରାୟ ୧୬ ଦେଶରେ କରୋନା ର ତୃତୀୟ ଲହର କାୟା ବିସ୍ତାର କରିସାରିଲାଣି । ରାଜ୍ୟରେ କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିରୋ ନାଇଟ୍ ପାଳନ, ନୂଆ ବର୍ଷକୁ ସ୍ବାଗତ ଆଦି କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଛନ୍ତି ।
ଗତବର୍ଷ ଭଳି ଏଥର ମଧ୍ୟ ନୂଆବର୍ଷ ପାଳନ ଫିକା ପଡ଼ିବ। ରାଜ୍ୟରେ ଏଥର ଜିରୋନାଇଟ୍ ସେଲିବ୍ରେଶନ ହୋଇପାରିବ ନାହିଁ। ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଡ଼ିସେମ୍ବର ମାସର କୋଭିଡ୍ ଗାଇଡ୍ଲାଇନରେ ଏହା ସ୍ପଷ୍ଟ କରାଯାଇଛି। କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଗାଇଡ୍ଲାଇନ ଅନୁଯାୟୀ ନୂଆବର୍ଷ ପାଇଁ ଡିସେମ୍ବର ୩୧ରେ ହୋଟେଲ୍, ରେଷ୍ଟୁରାଣ୍ଟ, କ୍ଲବ୍, ପାର୍କରେ ଜିରୋନାଇଟ୍ ପାଳନକୁ ବାରଣ କରାଯାଇଛି। ସେହିପରି ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଲିବ୍ରେଶନ କରିବାକୁ ମନା କରାଯାଇଛି।
ସେହିପରି ଡିସେମ୍ବର ୩୧ ଓ ଜାନୁୟାରୀ ୧ରେ ପିକ୍ନିକ୍ କରିବାକୁ ମଧ୍ୟ ସରକାର ବାରଣ କରିଛନ୍ତି। ଅନ୍ୟ କୌଣସି ସ୍ଥାନରେ ଅଧିକ ସଂଖ୍ୟକ ଲୋକ ଏକାଠି ହୋଇ ଜିରୋନାଇଟ୍ ସେଲିବ୍ରେଶନ କରିବାକୁ ମଧ୍ଯ ବାରଣ କରାଯାଇଛି। କରୋନା ଯୋଗୁ ଚଳିତ ବର୍ଷ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜା ପାର୍ବଣ ଉପରେ କଟକଣା ଲଗାଯାଇଛି। ଯେହେତୁ ଜିରୋନାଇଟ୍ରେ ଲୋକଙ୍କର ଗହଳି ଅଧିକ ହେବ, ଏହାକୁ ଦୃଷ୍ଟିରେ ରଖ୍ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଯୋଗୁ ସଂକ୍ରମଣ ମାମଲା ବଢ଼ୁଥିବାରୁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍ଲାଇନ ଡିସେମ୍ବର ୧ରୁ ଜାନୁୟାରୀ ୧ ଯାଏ ବଳବତ୍ତର ରହିବ । ପୂର୍ବଭଳି ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏ ବଳବତ୍ତର ରହିବ। ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ବାଣିଜ୍ୟ ମେଳା, ପ୍ରଦର୍ଶନୀ ମଧ୍ୟ ବନ୍ଦ ରହିବ। ତେବେ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଶାସନ ଅନୁମତି କ୍ରମେ ସର୍ବାଧୂକ ୨ ହଜାର ଲୋକଙ୍କୁ ନେଇ ହୋଇପାରିବ । କୋଭିଡ୍ କଟକଣା ମଧ୍ୟରେ ୫୦% ସିଟ୍ କ୍ଷମତାରେ ସିନେମା ହଲ୍ ଚାଲିବ। ବାହାଘର, ବ୍ରତ ଓ ଅତ୍ୟେଷ୍ଟିକ୍ରିୟାରେ ସର୍ବାଧ୍ଵକ ୨୫୦ ଜଣ ସାମିଲ ହୋଇପାରିବେ। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସକାଳ ୫ଟାରୁ ରାତି ୧୦ଟା ଯାଏ ଖୋଲା ରହିବ।