ପୁରୀ ଓ ଭୁବନେଶ୍ୱରରେ ହୋଇନି ହଇଜା: ସ୍ୱାସ୍ଥ୍ୟ ବିଭାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ‘ଫୋନି’ ପରେ ଉପକୂଳ ଅଞ୍ଚଳରେ ଉପୁଜିଥିଲା ପାନୀୟ ଜଳ ସମସ୍ୟା । ଦୂଷିତଜଳ ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପିବାର ଡର ଥିଲା । ପୁରୀ ଜିଲ୍ଲାର ବ୍ରହ୍ମଗିରି, କୃଷ୍ଣପ୍ରସାଦ, ଚନ୍ଦନପୁର ଓ ସତ୍ୟବାଦୀ ଅଞ୍ଚଳର ଅନେକ ଲୋକ ଝାଡ଼ାବାନ୍ତିର ଶିକାର ହୋଇ ପୁରୀ ଆଇଡିଏଚ୍‌ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟ ଓ କଲ୍ୟାଣ ବିଭାଗ ପକ୍ଷରୁ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରେ ହଇଜା ମିଳିନଥିଲା । ସେମାନେ ବାସି ଖାଦ୍ୟ ଖାଇଥିବାରୁ ଝାଡ଼ାବାନ୍ତିର ଶିକାର ହୋଇଥିଲେ ବୋଲି ଡାକ୍ତର କହିଛନ୍ତି । ପୁରୀ ପରି ଭୁବନେଶ୍ୱରର ଡୁମୁଡୁମା ଓ କୋଚିଲା ଅଞ୍ଚଳରେ ଝାଡ଼ାବାନ୍ତି ଅଭିଯୋଗ ଆସିଥିଲେ ମଧ୍ୟ ହାଇଜାର ପ୍ରମାଣ ମିଳିନାହିଁ ।

ହଇଜାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ସଚେତନା କାର୍ଯ୍ୟକ୍ରମ କରାଯାଉଛି । ସମସ୍ତଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ବଣ୍ଟନ କରାଯିବା ସହ ଦୂଷିତ କୂଅ କିମ୍ବା ପୋଖରୀ ପାଣି ନପିଇ ନଳକୂଅ ପାଣିକୁ ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଉଛି । ଅନ୍ୟଥା ୨୦ରୁ ୨୫ ଲିଟର ପାଣିରେ ଗୋଟିଏ କ୍ଲୋରିନ୍ ବଟିକା ପକାଇ ପିଇବାକୁ ପରାମର୍ଶ ଦିଆଯିବାସହ ହଲୋଜିନ ଓ କ୍ଲୋରିନ୍ ବଟିକା ଯୋଗାଇ ଦିଆଯାଉଛି ।

ସେହିପରି ବର୍ତ୍ତମାନ ବାତ୍ୟାଞ୍ଚଳରେ ରୋଗ ସର୍ବେକ୍ଷଣ କରୁଥିବା କେନ୍ଦ୍ର ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଦଳ ସଂକ୍ରମଣ ସମ୍ୱନ୍ଧରେ କୌଣସି ଆଗୁଆ ସତର୍କ ସୂଚନା ଦେଇନାହାନ୍ତି । ତେବେ ସ୍ଥିତିକୁ ଦେଖି କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଓ ପରିମଳ ଉପରେ ସଜାଗ ଦୃଷ୍ଟି ରଖାଯାଇଛି । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର କିଶୋରୀ ଓ ମହିଳାଙ୍କ ସଂକ୍ରମଣ କୁ ଦୃଷ୍ଟିରେ ରଖି ଦୁଇମାସ ପାଇଁ ମାଗଣାରେ ୨୪ଲକ୍ଷ ସନେଟାରୀ ନାପକିନ ବଣ୍ଟନ ବ୍ୟବସ୍ଥା କରାଯାଇଛି ।

Leave a comment