ଦେଖାନାହିଁ ମୁଖିଆଙ୍କର, ଦୌଡ଼ି ଦୌଡ଼ି ଗୋଡ଼ କ’ଣ ହୋଇଗଲାଣି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଖାନାହିଁ ମୁଖିଆଙ୍କର, ନିର୍ବାଚନ ଅଫିସ ଦୌଡ଼ି ଦୌଡ଼ି ଗୋଡ଼ କ’ଣ ହୋଇଗଲାଣି । ଏଭଳି କିଛି ବିଜେପି କର୍ମୀ ଟୁପୁର ଟାପର ହେଉଥିବା ଶୁଣିବାକୁ ମିଳୁଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସାରିବାକୁ ଆଉ ଦିନ କେଇଟା ରହିଲା ବିଜେପି ମୁଖିଆଙ୍କ ଦେଖାନାହିଁ ନିର୍ବାଚନୀ ମଇଦାନରେ । ନିର୍ବାଚନ ଫଳାଫଳ କ’ଣ ହେବ ସେନେଇ ବିଜେପି କର୍ମୀ ଚିନ୍ତାରେ । କାହାକୁ ନେଇ ଜନତାଙ୍କ ମନ ଜିଣିବେ । କାହାକୁ ନିଜ ଷ୍ଟାର ଭାବେ ଦର୍ଶାଇବେ । ପ୍ରାର୍ଥୀଙ୍କୁ କିଛି ବୁଦ୍ଧି ବାଟ ଦେଖାଯାଉନାହିଁ । ଅପରପକ୍ଷରେ ରାଜଧାନୀରେ ଥିବା ନେତାଙ୍କ ଅବସ୍ଥା ଆହୁରି ଖରାପ । ମୁଖିଆଙ୍କର ଦେଖା ନଥିବାରୁ ନିଷ୍ପତ୍ତି ନେବା ମଧ୍ୟ କଷ୍ଟକର ହୋଇଯାଇଛି । କିଛି ଉପାୟ ନପାଇ କିଙ୍ଗକର୍ତବ୍ୟମୁଢ଼ ହୋଇ ପ୍ରତିଦିନ ନିର୍ବାଚନ କମିଶନଙ୍କ ଅଫିସ ଦୌଡୁଛନ୍ତି । ହାତରେ ରହିଛି ସରକାରୀ ଦଳ ବିରୋଧରେ ଆଚରଣ ବିଧି ଉଲଂଘନ ଅଭିଯୋଗ ପତ୍ର । ହେଲେ ମୁଖିଆଙ୍କ ବିନା ଏହା କେତେଦୂର ଭୋଟରଙ୍କୁ ପ୍ରଭାବିତ କରିବ ତାକୁ ନେଇ ରାଜନୈତିକ ବିଶେଷଜ୍ଞ ସନ୍ଦେହ ପ୍ରକାଶ କରିଛନ୍ତି । ସେହିପରି ରାଜ୍ୟ ବିଜେପିର କିଛି ନେତା ବିରକ୍ତି ଭାବ ପ୍ରକାଶ କରି କହୁଛନ୍ତି, “ନିର୍ବାଚନ କମିଶନଙ୍କ ଅଫିସ ଦୌଡ଼ି ଦୌଡ଼ି ଗୋଡ଼ କଣ ହେଇଗଲାଣି । ତାଛଡ଼ା ଆମ ପାଖରେ ଉପାୟ ବା କଣ ଅଛି” ।

ସେହିପରି ରାଜନୈତିକ ବିଶେଷଜ୍ଞ କହୁଛନ୍ତି, “ଆଉ ଦୁଇ ବର୍ଷ ପରେ ପୁଣି ହେବ ସାଧାରଣ ନିର୍ବାଚନ । ଯଦି ଏଥର ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ ନକରେ ତେବେ ପ୍ରଚାରରେ ଥିବା ଛାମୁଆ ନେତାଙ୍କୁ ନିଜ ଛବି ଖରାପ ହୋଇଯିବା ଭୟ ଘାରିଛି । କାରଣ ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେଡି କାଳେ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରି ସେମାନଙ୍କ ଲୋକପ୍ରିୟତକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରିବ । ବିଫଳତାର ବୋଝ ମୁଣ୍ଡାଇବ କିଏ ? ତେଣୁ ପ୍ରଚାରରୁ ଦୂରରେ ରହିବା ହିଁ ଭଲ” ।

ସୂଚନା ଅନୁଯାୟୀ, ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଖୁବ ଭଲ ପ୍ରଦର୍ଶନ କରିଥିଲା । ନେତାମାନେ ଖୁବ ଜୋରସୋରରେ ପ୍ରଚାର ମଧ୍ୟ କରିଥିଲେ । ଚଳିତ ନିର୍ବାଚନରେ କିନ୍ତୁ ସବୁ ଫିକା ଫିକା । ନା ଅଛି ମୁଖିଆଙ୍କର ଦେଖା ନା ପ୍ରଚାର ପାଇଁ ପାର୍ଟିରୁ ମିଳିଛି ସେମିତି ଆଖିଦୃଷ୍ଟିଆ
ଅର୍ଥ । ସବୁକିଛି ଖାଲି ଖାଲି । ପ୍ରାର୍ଥୀ ନିଜ ପକେଟରୁ ବା କେତେ ଖର୍ଚ୍ଚ କରିପାରିବେ ? ତେଣୁ ବିଜେପି ଟିକେଟ ପାଇଥିବା ପ୍ରାର୍ଥୀ ସମ୍ପୂର୍ଣ୍ଣ ଭାବେ ହତାଶ । କେବଳ ଭୁବନେଶ୍ୱର ସାଂସଦ ଅପରାଜିତା ମାଡ଼ମ ନିଜ ନିର୍ବାଚନ ମଣ୍ଡଳୀ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ମାତ୍ର ନୂତନ ଭାବେ କେନ୍ଦ୍ର ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ କିମ୍ୱା ବିଶ୍ୱେଶ୍ୱର ଟୁଡୁ କାହାର ଦେଖା ମିଳୁନି । ବିଶ୍ୱେଶ୍ୱରଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଭଲ ଦବଦବା ଥିଲା ମାତ୍ର ନିକଟରେ ଦୁଇ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ ମାଡ଼ ମାରିବା ଘଟଣା ତାଙ୍କ ଲୋକପ୍ରିୟତାକୁ କ୍ଷୁର୍ଣ୍ଣ କରିଥିବା ଚର୍ଚ୍ଚା ଜୋରଧରିଛି । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମଧ୍ୟ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି । ଜଣେ ଦଳୀୟ ମହିଳା କର୍ମୀଙ୍କୁ ଅଶାଳୀନ ଇଙ୍ଗିତ କରିଥିବା ଭଳି ସଙ୍ଗୀନ ଅଭିଯୋଗର ଜାଲରେ ଛନ୍ଦି ହୋଇଯାଇଛନ୍ତି । ତେଣୁ କିଛିଦିନ ପୂର୍ବରୁ ସେ ଜନତାଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନର କିଛିଦିନ ପୂର୍ବରୁ ଏଭଳି ଘଟଣା ଦଳକୁ ଅତ୍ୟନ୍ତ କ୍ଷତି ପହଞ୍ଚାଇବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଅପରପକ୍ଷରେ ରାଜ୍ୟ ବିଜେପିର ମଙ୍ଗୁଆଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପି ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କର ମଧ୍ୟ ଦେଖା ଦର୍ଶନ ମିଲିନାନାହିଁ । ଦିନେ ଜଗନ୍ନାଥଙ୍କ ନିର୍ଦ୍ଦେଶରେ ପୁରୀ ଆସି ନିର୍ବାଚନ ଲଢ଼ୁଥିବା କହୁଥିବା ସମ୍ବିତ ପାତ୍ର ଏବେ କେଉଁଠି ସେନେଇ ବିରୋଧୀ ମଧ୍ୟ ପ୍ରଶ୍ନ ପଚାରୁଛନ୍ତି । ନିଜ ଦଳୀୟ ପ୍ରାର୍ଥୀଙ୍କୁ ନିର୍ବାଚନ ବୈତରଣୀ ପାର କରାଇବା ତ ଦୂରର କଥା ତାଙ୍କ ହାତ କୂଳରୁ ହିଁ ଛାଡ଼ିଦେଇଛନ୍ତି ବିଜେପି ଦଳର ମୁଖିଆମାନେ । ତେଣୁ ଏଥର ବିଜେପି ପୌର ନିର୍ବାଚନ ‘ରାମଙ୍କ ଭରସାରେ’ ବୋଲି ଶୁଣିବାକୁ ମିଳୁଛି ।

Leave a comment