୧୦ରୁ ଅଧିକ ବ୍ୟକ୍ତି ଏକାଠି ହେଲେ ଲକ୍ଷେ ଜୋରିମାନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଣିକି ଘରେ ହେଉ ବା ବାହାରେ କୌଣସି ସ୍ଥାନରେ ଦଶ ଜଣ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ। ଯଦି ୧୦ ବ୍ୟକ୍ତି ଏକାଠି ହୋଇ କୌଣସି କାର୍ଯ୍ୟକ୍ରମରେ ସାମିଲ ରହିବେ, ତାହେଲେ ସମ୍ପୃକ୍ତ କାର୍ଯ୍ୟକ୍ରମର ଆୟୋଜକଙ୍କଠାରୁ ଏକ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହେବ। ରାଜ୍ୟ ସରକାର ଏନେଇ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ସରକାର କୋଭିଡ୍-୧୯ ନିୟମାବଳୀରେ ୪ର୍ଥ ସଂଶୋଧନ କରିବା ସହ ଜୋରିମାନା ପରିମାଣକୁ ବୃଦ୍ଧି କରିଛନ୍ତି।
ବିଜ୍ଞପ୍ତି ଅନୁଯାୟୀ ମହାମାରୀ ଆଇନ୍-୧୯୮୭ର ଧାରା ୪ଓ ୫ ଅର୍ନ୍ତଗତ କ୍ଷମତାର ଉପଯୋଗ କରି ସ୍ୱାସ୍ଥ୍ୟ ବିଭାଗ ସୋମବାର ଓଡ଼ିଶା କୋଭିଡ୍-୧୯ ରେଗୁଲେସନ୍ ୨୦୨୦ରେ ଏହି ସଂଶୋଧନ କରିଛନ୍ତି। ଏହି ସଂଶୋଧନ ଅନୁଯାୟୀ କୋଭିଡ୍ ନିୟାମବଳୀ-୨୦୨୦ର ୪ (କ,ଖ,ଗ,ଘ,ଙ ଏବଂ ଚ)ରେ ଧାରାରେ ବିଭିନ୍ନ ନିୟମ ପାଇଁ ଭିନ୍ନଭିନ୍ନ ଜୋରିମାନା ଧାର୍ଯ୍ୟ ହୋଇଛି। ଯଦି କøଣସି କାରଣ ପାଇଁ ୧୦ରୁ ଅଧିକ ଲୋକ କୌଣସି ସ୍ଥାନରେ ଏକତ୍ର ହୁଅନ୍ତି, ତାହେଲେ ଉପଯୁକ୍ତ କାରଣ ଦର୍ଶାଇ ସ୍ଥାନୀୟ ଜିଲ୍ଲାପାଳ ଅଥବା ମହାନଗର ନିଗମ ଅଞ୍ଚଳର କମିଶନରଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ଏହି ନିୟମ ଉଲ୍ଲଘଂନ କଲେ ସମ୍ପୃକ୍ତ ଅୟୋଜକ ଅବା ସାମିଲ ଲୋକଠୁ ଏକ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ। ଏହି ଜୋରିମାନା ସମ୍ପୃକ୍ତ ଅଞ୍ଚଳର ଅତିରିକ୍ତ ବିଡିଓ, ଅତିରିକ୍ତ ତହସିଲଦାର, ପୁଲିସ ଏଏସଆଇ ଅଧିକାରୀମାନେ ଆଦାୟ କରିପାରିବେ। ପୂର୍ବରୁ କୌଣସି ସ୍ଥାନରେ ୭ଜଣ ବ୍ୟକ୍ତି ଏକାଠି ହେବା ଉପରେ କଟକଣା ରହିଥିଲା।