ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଖାଦ୍ୟଶସ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ପ୍ରବାସୀ ଶ୍ରମିକ,ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ପାଇଁ ସ୍କିମ ଘୋଷଣା କରିଛନ୍ତି।
ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସ୍କିମ ଅଧିନରେ ୩୫୦୦ କୋଟି ଟଙ୍କାର ବ୍ୟୟବରାଦ। ଏହିସ୍କିମ ଅନୁସାରେ ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବ। ପ୍ରତିବ୍ୟକ୍ତି ମାସକୁ ୫ କିଲୋ ଚାଉଳ ବା ଗହମ ଓ ପ୍ରତି ଶ୍ରମିକ ପରିବାରକୁ ମାସକୁ ୧ କିଲୋ ଡାଲି ଆସନ୍ତା ୨ ମାସ ପର୍ଯ୍ୟନ୍ତ ପାଇପାରିବେ। ଏହି ସୁବିଧା ପାଇଁ ସେମାନଙ୍କୁ କୌଣସି ରାସନକାର୍ଡ ଦେଖାଇବାକୁ ପଡ଼ିବ ନାହିଁ। ଏହି ସ୍କିମ ବାବଦରେ ସରକାର ୩୫୦୦ କୋଟି ବ୍ୟୟ କରିବେ ଓ ଏହା ଦ୍ୱାରା ୮ କୋଟି ପ୍ରବାସୀ ଶ୍ରମିକ ଉପକୃତ ହେବେ।
ଏହା ଛଡ଼ା ୨୩ଟି ରାଜ୍ୟରେ ୬୭ କୋଟି ହିତାଧିକାରୀଙ୍କ ପାଇଁ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେବ। ଏହାର ଅର୍ଥ ହେଉଛି ସେମାନେ ଦେଶର ଯେଉଁ ରାଜ୍ୟରେ ଥାଆନ୍ତୁ ନା କାହିଁକି ସେମାନେ ଖାଦ୍ୟଶସ୍ୟ ପାଇପାରିବେ। ଅଗଷ୍ଟ ସୁଦ୍ଧା ଦେଶରେ ୮୩ ପ୍ରତିଶତ ହିତାଧିକାରୀ ବା ୬୭ କୋଟି ହିତାଧିକାରୀ ଏହାର ଲାଭ ଉଠାଇପାରିବେ।