ବାଲେଶ୍ୱରରେ ନିପା ଭାଇରସ ଭୟ

0

ଓଡ଼ିଶାଫାଷ୍ଟ(ବ୍ୟୁରୋ)-ଗୋଆରେ କାମ କରୁଥିବା ବାଲେଶ୍ୱର ୨ଜଣ ଯୁବକଙ୍କ ନିପା ଭାଇରସ ରେ ମୃତ୍ୟୁ ହୋଇଥିବା ଜଣାପଡିବ ପରେ ଏବେ ଜିଲ୍ଲା ବାସୀ ଭୟଭୀତ ହୋଇପଡିଛନ୍ତି। ତେଣୁ ସୋମବାର ରାତିରେ ଗୋଆରୁ ଫେରୁଥିବା ୭ ଜଣ ଯୁବକଙ୍କୁ ବାଲେଶ୍ୱର ରେଳ ଷ୍ଟେସନରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ ନିଜାମପୁର ଗ୍ରାମର ୯ ଜଣ ଯୁବକ କିଛିଦିନ ତଳେ ଗୋଆ କାମ କରିବାକୁ ଯାଇଥିଲେ। ମାତ୍ର କିଛିଦିନ ଭିତରେ ନିଜାମପୁରର ଅମୂଲ୍ୟ ଜେନାଙ୍କ ପୁଅ ଉତ୍ତମ (୨୨) ଏବଂ ବରେନ୍ଦ୍ର (୨୮) ଉଭୟ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ସ୍ଥାନୀୟ ଏକ ମେଡିକାଲରୁ ଔଷଧ ଖାଇବା ପରେ ସେମାନେ ଭଲ ହୋଇଯାଇଥିଲେ। ମାତ୍ର ଏହାର ଦୁଇଦିନ ପରେ ତାଙ୍କର ଦେହହାତ ବିନ୍ଧା ହେବା ସହ ପ୍ରବଳ ଜ୍ୱର ହୋଇଥିଲା। ଗତ ୧୨ ତାରିଖରେ ଉତ୍ତମଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ତାରିଖରେ ବଡ଼ଭାଇ ବରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସହିତ ଗୋଆ ଯାଇ ଫେରିଥିବା ଯୁବକମାନେ ପ୍ରକାଶ କରିଥିଲେ। ପରେ ଦୁଇଭାଇ ନିପା ଭାଇରସ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଭୟରେ ଅନ୍ୟ ୭ଜଣ ମନୋରଞ୍ଜନ ଜେନା, ଗୌତମ ଜେନା, ସୁକଦେବ ଜେନା, ଜୟଦେବ ଜେନା, ରାଜେନ୍ଦ୍ର ପରିଡ଼ା, ରତନ ଜେନା, ବିଶ୍ୱରଞ୍ଜନ ଜେନା ଟ୍ରେନ ଯୋଗେ ଘରକୁ ପଳାଇ ଆସିଥିଲେ। ସୋମବାର ସନ୍ଧ୍ୟାରେ ସେମାନେ ବାଲେଶ୍ୱର ରେଳଷ୍ଟେସନ ରେ ପହଞ୍ଚିବା ପରେ ଏମାନଙ୍କ ଦେହରେ ନିପା ଭାଇରସ ରୋଗର ଜୀବାଣୁ ଥିବା ଅନୁମାନ କରାଯାଇ ଏମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ପରେ ସେମାନଙ୍କୁ କଟକ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Leave a comment