ଲାଞ୍ଚ ନେଇ ନିମାପଡ଼ା କଲେଜ ଅଧ୍ୟାପକ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପରୀକ୍ଷାରେ ପାସ୍‌ କରାଇଦେବା ପାଇଁ ଛାତ୍ରଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଭୂତତ୍ତ୍ବ ବିଜ୍ଞାନ ବିଭାଗ ମୁଖ୍ୟ ମାନସ ରଞ୍ଜନ ସ୍ବାଇଁ । ସେ ଉକ୍ତ ବିଭାଗର ଛାତ୍ର ତଥା କାକଟପୁର ଥାନା ଶୁକପୋଖରୀ ଗ୍ରାମର ସ୍ବାଗତ ସେଣଙ୍କଠାରୁ ପୂର୍ବଦାବି ମୁତାବକ ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା ।

ସ୍ବାଗତ ହେଉଛନ୍ତି ଉକ୍ତ ମହାବିଦ୍ୟାଳୟର ତୃତୀୟ ବର୍ଷ ବିଜ୍ଞାନ ଛାତ୍ର । ପଞ୍ଚମ ଓ ଷଷ୍ଠ ସେମିଷ୍ଟର ପାସ୍‌ କରାଇଦେବା ପାଇଁ ବିଭାଗୀୟ ମୁଖ୍ୟ ସ୍ବାଇଁ ତାଙ୍କଠାରୁ ଏହି ଲାଞ୍ଚ ଦାବି କରିଥିଲେ । ଗୁରୁବାର ସ୍ବାଗତଙ୍କଠାରୁ ସେ ନିମାପଡ଼ା ସିଦ୍ଧେଶ୍ୱର ମନ୍ଦିର ନିକଟ ରାସ୍ତା କଡ଼ରେ ଉକ୍ତ ଟଙ୍କା ଗ୍ରହଣ କରୁଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ରହିଥିବା ଭିଜିଲାନ୍ସ ଅଧିକାରୀମାନେ ସ୍ବାଇଁଙ୍କୁ କାବୁ କରିଥିଲେ । ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ଟଙ୍କା ଜବତ କରାଯିବା ପରେ ସ୍ବାଇଁଙ୍କ ନିମାପଡ଼ା ଗୋଲେଇ ଛକସ୍ଥିତ ବାସଗୃହରେ ଭିଜିଲାନ୍ସ ଚଢ଼ାଉ କରି ଯାଞ୍ଚ କରିଥିଲା । ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୪୯/୨୦୧୮ରେ ଏକ ମାମଲା ରୁଜୁ କରାଯାଇ ସ୍ବାଇଁଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଇନ୍ସପେକ୍ଟର ରୂପଧର ନାୟକ, ଭାଲେଣ୍ଟିନା ରାୟ, ବ୍ରହ୍ମାନନ୍ଦ ନାୟକ, ଏଏସ୍‌ଆଇ ସୁନୀଲ ସେଠୀ, ବିଳାସିନୀ ବେହେରା ପ୍ରମୁଖ ଏହି ଚଢ଼ାଉ କରିଥିଲେ ।

Leave a comment