ଅତ୍ୟାଧୁନିକ ମାଛ ଚାଷ ପ୍ରଶିକ୍ଷଣ ପାଇଁ ତୁରନ୍ତ ଏକ ଟିମ ବିଦେଶ ଗ୍ରସ୍ତ କରିବ: ମନ୍ତ୍ରୀ ଅରୁଣ ସାହୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ୬୬ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ କରାଯାଉଛି । ଗତକାଲି ପୂର୍ବାହ୍ନରେ ଫିସ୍ଫେଡ୍ କାର୍ଯ୍ୟାଳୟରେ ଫିସ୍ଫେଡ୍-ଓଡ଼ିଶା ଓ ଫିସ୍କୋଫେଡ୍, ନୂଆଦିଲ୍ଲୀ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ମନ୍ତ୍ରୀ ଅରୁଣ ସାହୁ ସମବାୟ ପତାକା ଉତ୍ତୋଳନ କରି ସମବାୟ ସପ୍ତାହ ପାଳନର ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଥିଲେ, ” ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଚାହିଦା ଓ ପୁଷ୍ଟିକର ଖାଦ୍ୟ ଯୋଗାଣ ଦିଗରେ ମାଛଚାଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ପ୍ରାକୃତିକ ସଂପଦରେ ଭରପୂର ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଅଧିକ ମତ୍ସ୍ୟ ଉତ୍ପାଦନ ନିମନ୍ତେ ଉନ୍ନତ ଦେଶମାନଙ୍କରୁ ଜ୍ଞାନକୌଶଳ ହାସଲ କରି ରାଜ୍ୟରେ ପ୍ରୟୋଗ କରିବା ଦିଗରେ ପଦକ୍ଷେପ ନିଆଯାଉଛି । ଖୁବଶୀଘ୍ର ରାଜ୍ୟରୁ ଏକ ଟିମ ବିଦେଶ ଗ୍ରସ୍ତ କରି ଅତ୍ୟାଧୁନିକ ମାଛ ଚାଷ ପ୍ରଶିକ୍ଷଣ କରିବା ପରେ ଖୁବଶୀଘ୍ର ରାଜ୍ୟରେ ସେହି ପ୍ରଣାଳୀ ପ୍ରୟୋଗ କରାଯିବ” ।
ସେହିପରି ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଯୋଜନା ପ୍ରସ୍ତୁତ କରାଯାଉଛି । ଏହାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫ଟି କୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ । ଏହାସହ ମତ୍ସ୍ୟଚାଷର ଉନ୍ନତି ତଥା ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଣୟନ କରାଯାଇଥିବା ଯୋଜନା ଗୁଡ଼ିକର ଲାଭ ଯେପରି ସିଧାସଳଖ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ପାରିବ ସେଥିପାଇଁ ପ୍ରତ୍ୟେକ ସ୍ତରରେ ସ୍ୱଚ୍ଛତା ଅବଲମ୍ବନ ଉପରେ ମନ୍ତ୍ରୀ ଅରୁଣ ସାହୁ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ମତ୍ସ୍ୟ ନିର୍ଦ୍ଦେଶକ ଡ. ଏନ୍. ତିରୁମାଲ୍ଲା ନାୟକ ଓ ଫିସ୍ଫେଡ୍ର ସଭାପତି ଟି. ପ୍ରସାଦ ରାଓ ଦୋରାଙ୍କ ସମେତ ଫିସ୍ଫେଡ୍ର ସଦସ୍ୟସଦସ୍ୟା ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।