ଅନୁଭବ ଗାୟବ, ପ୍ରଚାର ମଇଦାନରେ ବିଜେଡିର ନୂଆ ଷ୍ଟାର ଚେହେରା ବର୍ଷା ପ୍ରିୟଦର୍ଶିନୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡ଼ି ଏବଂ ଅନୁଭବଙ୍କ ମଧ୍ୟରେ ବଢୁଛି ଦୂରତା । ଅପରପକ୍ଷରେ ବର୍ଷାଙ୍କ ସହିତ ବଢୁଛି ଘନିଷ୍ଠତା । ଏହା ଆମେ କହୁନାହୁଁ ଏହାକୁ ନେଇ ରାଜନୈତିକ ବିଶେଷଜ୍ଞ ଚର୍ଚ୍ଚା କରିବା ଆରମ୍ଭ କଲେଣି । ଗତକାଲି ଓଲିଉଡ ଅଭିନେତ୍ରୀ ତଥା ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ସେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପାର୍ଥିନୀ ପୂର୍ଣ୍ଣଶଶି ପାଣିଗ୍ରାହୀଙ୍କୁ ସମର୍ଥନ କରିବା ପାଇଁ ଭଦ୍ରକ ଜିଲ୍ଲାର ବ୍ରହ୍ମପୁର ପଞ୍ଚାୟତରେ ପ୍ରଚାର ମଇଦାନକୁ ଓଲ୍ଲାହି ଥିଲେ । ଏହାକୁ ଦେଖି ବିଜେଡିରୁ ଅନୁଭବ ଆଉଟ, ବର୍ଷା ଇନ ବୋଲି ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ।
ସେହିପରି ପ୍ରଚାର ମଇଦାନକୁ ଓଲ୍ଲାହି ଖୁବ ଉତ୍ସାହିତ ଥିବା କହିଛନ୍ତି ବର୍ଷା । ପ୍ରଚାର ସମୟରେ ସେହି ଅଞ୍ଚଳରେ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ତାଙ୍କୁ ସ୍ୱାଗତ କରିଥିବାରୁ ସେ ହୃଦୟର ସହ ସେମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ବର୍ଷା । ତେବେ ଅନୁଭବଙ୍କ ପରେ ଷ୍ଟାର ଚେହେରା ଭାବେ ବର୍ଷାଙ୍କ ଏଣ୍ଟ୍ରି ଏକ ପ୍ରକାର ବିଜେଡି ସ୍ପଷ୍ଟ କରିଥିବା ବିଶେଷଜ୍ଞ ମତ ରଖିଛନ୍ତି ।
ସୂଚନା ଅନୁଯାୟୀ, ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିର ସମସ୍ତ ନେତା ପୁରା ଦମ ଲଗାଉଥିବା ଦେଖିବାକୁ ମିଳୁଥିବା ବେଳେ କେନ୍ଦ୍ରାପଡା ସାଂସଦଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଦେଖା ଦର୍ଶନ ମିଳୁନି । କେବଳ ସେତିକି ନୁହେଁ କେନ୍ଦ୍ରାପଡ଼ା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କର ମାଳମାଳ ପୋଷ୍ଟେର ଲାଗିଥିବା ବେଳେ ଏଥିରେ ସେମାନଙ୍କ ପୋଷ୍ଟର ସହ ମନ୍ତ୍ରୀ, ନେତା ଏପରିକି କିଛି ପୋଷ୍ଟେରରେ ପର୍ଯ୍ୟବେକ୍ଷକଙ୍କ ଫଟୋ ରହିଛି । ମାତ୍ର ଗୋଟିଏବି ପୋଷ୍ଟରରେ କେନ୍ଦ୍ରାପଡ଼ା ସାଂସଦଙ୍କ ଫଟୋ ଦେଖିବାକୁ ମିଳୁନି । ଏହା ପଛରେ ବିଜେଡି ସହିତ ତାଙ୍କ ସମ୍ପର୍କରେ ତିକ୍ତତା ବୋଲି ଚର୍ଚ୍ଚା ହେଉଛି । ଏହାର ଅନେକ କାରଣ ମଧ୍ୟ ରହିଛି । ପ୍ରଥମ କାରଣ ହେଲା ବର୍ଷା ଏବଂ ତାଙ୍କ ସମ୍ପର୍କରେ ଆସିଥିବା ଦୂରତା । ଏହି ଦୂରତା ପଛରେ ଅନୁଭବ ଙ୍କ ଜଣେ ବାନ୍ଧବୀ ଥିବା ନେଇ ଚର୍ଚ୍ଚା ଜୋର ଧରିବା ସହ ବର୍ଷା ମଧ୍ୟ ଏହାକୁ ନେଇ ଅଭିଯୋଗ କରିଥିବା ଶୁଣିବାକୁ ମିଳୁଛି ।
ସେହିପରି ଅନ୍ୟ ଏକ ମୁଖ୍ୟ କାରଣ ହେଲା ସାଂସଦ ଅନୁଭବ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସୁଖ ଦୁଃଖର ସାମିଲ ନହେବା । କରୋନା ଭଳି ମହାମାରୀ ସମୟରେ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କ ଖବର ବୁଝିବା ବଦଳରେ ଦିଲ୍ଲୀରେ ବୁଲୁଥିବା ଖବର ତାଙ୍କ ଅଞ୍ଚଳବାସୀଙ୍କୁ ଅତ୍ୟନ୍ତ ଦୁଃଖିତ କରିଥିଲା । ଏପରିକି ସେ ସାମ୍ବାଦିକଙ୍କ କିଛି ପ୍ରଶ୍ନର ଉତ୍ତର ଦେବା ବଦଳରେ ତାଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ମଧ୍ୟ ତାଙ୍କୁ ବିବାଦ ଘେରକୁ ଟାଣି ନେଇଥିଲା । ଅପରପକ୍ଷରେ କେନ୍ଦ୍ରାପଡ଼ାରେ ବିଜେଡ଼ି ନେତାଙ୍କ ସହ ତାଙ୍କ ସମ୍ପର୍କ ଭଲ ନଥିବାରୁ ତାଙ୍କୁ କାହାର ସମର୍ଥନ ମିଳିନଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।