ଚୌକା-ଛକା ବର୍ଷାକୁ ନନେଇ ଚର୍ଚ୍ଚାରେ ସୂର୍ଯ୍ୟକୁମାର
ଶ୍ରୀଲଙ୍କା ବିପକ୍ଷରେ ଭାରତର ଟି-୨୦ ସିରିଜରେ ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସୂର୍ଯ୍ୟ କୁମାର ଯାଦବ। ସିରିଜ ନିର୍ଣ୍ଣାୟକ ତୃତୀୟ ମ୍ୟାଚରେ ସେ ଧୂଆଁଧାର ବ୍ୟାଟିଂ କରି ତୃତୀୟ ଟି-୨୦ ଶତକ ଅର୍ଜନ କରିଥିଲେ। ୫୧ଟି ବଲରୁ ଅପରାଜିତ ୧୧୨ ରନ ସଂଗ୍ରହ କରିଥିଲେ। ସେ ୭ଟି ଚୌକା ଓ ୯ଟି ଛକା ମାରିଥିଲେ।
ଏହି ଇନିଂସ ସହ ତାଙ୍କ ନାମରେ ଅନେକ ରେକର୍ଡ ଯୋଡ଼ି ହୋଇଯାଇଥିଲା। ରାଜକୋଟରେ ଖେଳାଯାଇଥିବା ଶେଷ ମ୍ୟାଚରେ ଭାରତ ୯୧ ରନରେ ଶ୍ରୀଲଙ୍କାକୁ ହରାଇଥିଲା। ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଛକା ଚୌକା ବର୍ଷା କରି ସୂର୍ଯ୍ୟ ଏହି ମ୍ୟାଚରେ ଶତକ ହାସଲ କରିଛନ୍ତି ।
ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଓପନର ଇଶାନ କିଷାନ ବିଫଳ ହେଲା ପରେ ଶୁଭମନ ଗିଲ, ରାହୁଲ ତ୍ରିପାଠୀ ସୂର୍ଯ କୁମାର ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲେ । ଛକା ଚୌକା ବର୍ଷା କରି ଭାରତୀୟ ସ୍କୋରକୁ ଆଗେଇ ନେଇଥିଲେ । ଦଳ ପକ୍ଷରୁ ସୂର୍ଯ୍ୟକୁମାର ୧୧୨, ଶୁଭମନ ଗିଲ ୪୬, ରାହୁଲ ତ୍ରିପାଠୀ ୩୫ ରନ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୨୨୮ ରନ କରିବାରେ ସଫଳ ହୋଇଥିଲା ।
ସୂର୍ଯ୍ୟକୁମାର ଯାଦବ ଶନିବାର ଶତକୀୟ ପଳି ଅବସରରେ ରୋହିତ ଶର୍ମାଙ୍କ ଦୁଇଟି କୀର୍ତ୍ତିମାନ ତଳକୁ ପହଞ୍ଚିଛନ୍ତି। ୪୫ ବଲରୁ ଶତକ ହାସଲ କରି ଦ୍ବିତୀୟ ଦ୍ରୂତତମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ୨୦୧୭ରେ ରୋହିତ ଶର୍ମା ସମାନ ପ୍ରତିଦ୍ବନ୍ଦ୍ବୀ ଶ୍ରୀଲଙ୍କା ବିପକ୍ଷରେ ମାତ୍ର ୩୫ ବଲରୁ ଶତକ ହାସଲ କରିଥିଲେ। ସେହିଭଳି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ତୃତୀୟ ଶତକ ହାସଲ କରି ସୂର୍ଯ୍ୟ ମଧ୍ୟ ରୋହିତ (୪)ଙ୍କ ପଛରେ ପହଞ୍ଚିଛନ୍ତି। ଅର ଓପନର ଭାବେ ସୂର୍ଯ୍ୟ କିନ୍ତୁ ପ୍ରଥମ ଖେଳାଳି ଭାବେ ୩ ଶତକ ହାସଲ କରିଛନ୍ତି।
ସୂର୍ଯ୍ୟ ଟି-୨୦ରେ ୪୫ ମ୍ୟାଚ ଖେଳିସାରିଛନ୍ତି। ସେ ୪୩ଟି ଇନିଂସରୁ ୧୬ଥର ୫୦ରୁ ଊର୍ଦ୍ଧ୍ବ ସ୍କୋର କରିଛନ୍ତି। ସେ ପ୍ରଥମ ବ୍ୟାଟର ଭାବେ ୨୦୦ରୁ ଊର୍ଦ୍ଧ୍ବ ଷ୍ଟ୍ରାଇକ୍ ରେଟରେ ୮ଥର ୫୦ରୁ ଅଧିକ ସ୍କୋର କରିଛନ୍ତି। ପୁନେରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟି-୨୦ରେ ସୂର୍ଯ୍ୟ ହାଫ ସେଞ୍ଚୁରୀ ଇନିଂସ ଖେଳିଥିଲେ।