ନୂତନ ଦାୟିତ୍ୱ ଗ୍ରହଣ କଲେ ଆଇଏଏସ ଆଦିତ୍ୟ ପାଢ଼ୀ, ଅସିତ ତ୍ରିପାଠୀ ଓ ସୁରେଶ ମହାପାତ୍ର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ନୂତନ ଦାୟିତ୍ୱ ଗ୍ରହଣ କଲେ ଆଇଏଏସ ଆଦିତ୍ୟ ପାଢ଼ୀ, ଅସିତ ତ୍ରିପାଠୀ ଓ ସୁରେଶ ମହାପାତ୍ର । କିଛିଦିନ ତଳେ ଆଇଏଏସ ସ୍ତରରେ ଅଦଳବଦଳ ହୋଇଥିଲା । ଏହି ଦାୟିତ୍ୱ ସେମାନେ ବିଧିବଦ୍ଧ ଭାବେ ୧୯ତାରିଖ ଗ୍ରହଣ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଇଏଏସ ଅସିତ କୁମାର ତ୍ରିପାଠୀ ଆଜି ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭାବେ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଉନ୍ନୟନ କମିଶନର ଭାବେ ଆଇଏଏସ ସୁରେଶ ମହାପାତ୍ର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।
ସୂଚନା ଅନୁଯାୟୀ, କିଛିଦିନ ତଳେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଥିଲା । ଏହି ଅଦଳ ବଦଳ ଅନୁସାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ବଦଳରେ ୧୯୮୬ ବ୍ୟାଚ ଆଇଏଏସ ଅସିତ କୁମାର ତ୍ରିପାଠୀ ଦାୟିତ୍ୱ ଗ୍ରହଣ କରିଥିବା ବେଳେ୧୯୮୩ ବ୍ୟାଚ ଆଇଏଏସ ଆଦିତ୍ୟ ପ୍ରସାଦ ପାଢ଼ୀ ରାଜ୍ୟର ସପ୍ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ୧୯୮୬ ବ୍ୟାଚ ଆଇଏଏସ ସୁରେଶ ମହାପାତ୍ର ଉନ୍ନୟନ କମିଶନର ଭାବେ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ମୁଖ୍ୟ ଶାସନ ସଚିବ ପଦକୁ ନେଇ ଅସିତ ଓ ସୁରେଶଙ୍କ ମଧ୍ୟରେ ଟଣା ଓଟରା ଚାଲିଥିଲା । ଶେଷରେ ଅସିତ ତ୍ରିପାଠୀଙ୍କ ନାମରେ ସରକାର ଏହି ମୋହର ମାରିଥିଲେ ।
ସେହିପରି ରାଜ୍ୟର ୪୩ତମ ମୁଖ୍ୟ ଶାସନ ସଚିବନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଅସିତ୍ ତ୍ରିପାଠୀ କହିଛନ୍ତି, ୫ଟି ଢାଞ୍ଚାରେ ସରକାର ଚାଲିବ । ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ।
ଅପରପକ୍ଷରେ ଉନ୍ନୟନ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରି ସୁରେଶ ମହାପାତ୍ର କହିଛନ୍ତି, ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ଯୋଜନାକୁ ଗୁରୁତ୍ୱ ଦିଆଯିବ । ସବୁ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ଶ୍ରୀମନ୍ଦିର ବିକାଶ ନେଇ ଆସୁଥିବା ପ୍ରସ୍ତାବ ଗୁଡିକ ଠିକ ଭାବେ କାର୍ଯ୍ୟକାରୀ କରାଯିବ । ମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଜଷ୍ଟିସ ବି.ପି ଦାସ କମିଶନ ଦେଇଥିବା ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ । ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ରୂପେ ଏହିପରି ପ୍ରତିକ୍ରିୟା ରଖିଛନ୍ତି ସୁରେଶ ।