ନବୀନଙ୍କ ମନ୍ତ୍ରିମଣ୍ଡଳର ନବକଳେବର : ଶପଥ ନେଲେ ସବୁ ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଲୋକସେବା ଭବନର କନଭେନସନ୍ ହଲରେ ସମସ୍ତ ନୂତନ ମନ୍ତ୍ରୀ ଶପଥ ପାଠ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ପ୍ରଥମେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଥିଲେ । ଜଗନ୍ନାଥ ସାରକା ହେଉଛନ୍ତି ବିଷମ କଟକର ବିଧାୟକ । ସେ ଜଣେ ଟାଣୁଆ ନେତା ହୋଇଥିବାରୁ ତାଙ୍କୁ ଦଳ ପ୍ରଥମେ ଶପଥ ନେବାର ସୁଯୋଗ ଦେଇଛି ।
କୁହାଯାଏ ଦଳର ଜଣେ ଟାଣୁଆ ନେତା ପ୍ରଥମେ ମନ୍ତ୍ରୀ ଭାବେ ଶପଥ ନିଅନ୍ତି । ତାଲିକାରେ ଆହୁରି ବରିଷ୍ଠ ନେତା ଥିଲେ ମଧ୍ୟ ଦଳ ପ୍ରଥମେ ତାଙ୍କୁ ଶପଥ ନେବାକୁ କହିଥିବା କୁହାଯାଉଛି । ପରେ ନିରଞ୍ଜନ ପୂଜାରୀ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଶପଥ ପାଠ କରିଛନ୍ତି । ସେହିପରି ପ୍ରମିଳା ମଲ୍ଲିକ ଦୀର୍ଘ ବର୍ଷ ପରେ ମନ୍ତ୍ରୀଭାବେ ଶପଥ ପାଠ କରିଛନ୍ତି । ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ ଓ ନବ କିଶୋର ଦାସ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ମାବେ ଲୋକସେବା ଭବନର କନଭେନସନ୍ ହଲରେ ଶପଥ ପାଠ କରିଛନ୍ତି ।
ଅନ୍ୟପଟେ ଅଶୋକଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆଙ୍କୁ ମଧ୍ୟ ରାଜ୍ୟପାଳ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥପାଠ କରାଇଛନ୍ତି । ଆଜିର ଏହି ଶପଥ ପାଠ ଉତ୍ସବରେ ପର୍ଯ୍ୟାୟକ୍ରମେ ମୋଟ ୨୧ଜଣ ନୂଆ ମନ୍ତ୍ରୀ ଶପଥ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ଜଣଙ୍କ ନାଁ କ୍ୟାବିନେଟ ପାହ୍ୟା ଓ ୮ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବାର ଦାୟିତ୍ବ । ଅନ୍ୟପଟେ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ସମୀର ରଞ୍ଜନ ଦାଶ, ଅଶ୍ବିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତି ହେମ୍ବ୍ରମ ଶପଥ ପାଠ କରିଛନ୍ତି ।