ଏଣିକି ପିଲା ଯିବେନି ଟ୍ୟୁସନ, ଆପ୍ ମାଧ୍ୟମରେ ପଢିବେ ପାଠ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶିକ୍ଷାର ଉନ୍ନତି ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ପିଲାଙ୍କୁ ସ୍କୁଲ ଆସିବାକୁ ଆକୃଷ୍ଟ କରିବାଠୁ ଆରମ୍ଭ କରି କିଭଳି ପିଲାମାନଙ୍କର ପାସ୍ ହାର ବୃଦ୍ଧି ପାଇବ ସେ ଦିଗରେ ମଧ୍ୟ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ପାଠ ପଢା ଢାଞ୍ଚାରେ ନୂଆ ବ୍ୟବସ୍ଥା କରାଯିବ । ଏଣିକି ଛାତ୍ରଛାତ୍ରୀଙ୍କ ପାଠ ପଢା ଢାଞ୍ଚା ବଦଳିବ । ସ୍କୁଲରେ ଶିକ୍ଷା ଗ୍ରହଣ ପରେ କୌଣସି ବିଷୟ ପିଲାମାନେ ବୁଝି ନପାରିଲେ ଅଥବା କିଛି ସନ୍ଦେହ ରହିଲେ ଆଉ ଯିବାକୁ ପଡିବ ନାହିଁ ଟ୍ୟୁସନ । ‘ମଧୁବାବୁ ଆପ୍’ ମାଧ୍ୟମରେ ଯେକୌଣସି ସ୍ଥାନରେ ପିଲାମାନେ ବିନା ଦ୍ବିଧାରେ ଶିକ୍ଷା ଗ୍ରହଣ କରିପାରିବେ ।
ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ଯୋଜନା ଗଞ୍ଜାମ ଜିଲ୍ଲାରୁ ଶୁଭାରମ୍ଭ ହେବ । ଏହି ଯୋଜନା ଆଜିଠାରୁ ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଏହି ଆପ୍ ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।