ପଟ୍ଟନାୟକିଆ ଛକ ଟ୍ରିପଲ ମଡର କେସର ନୂଆ ମୋଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଟ୍ଟନାୟକିଆ ଛକ ଟ୍ରିପଲ ମଡର କେସର ନୂଆଁ ମୋଡ । ଗତ ଦୁଇସପ୍ତାହ ତଳେ ପୁରୀ ପଟ୍ଟନାୟକିଆ ଛକରେ ଘଟିଥିବା ଟ୍ରିପଲ ମଡରକୁ ନେଇ ଗତକାଲି ଦିନ ୩ଟା ସମୟରେ ହାଇକୋର୍ଟରେ ପିଟିସନ ଦାଖଲ ହୋଇଛି । ଯେଉଁଥିରେ ପୋଲିସର ଅବହେଳାକୁ ଦର୍ଶାଯାଇଛି । ପୋଲିସ ସବୁ ଜାଣିଶୁଣି ହତ୍ୟାକାରୀଙ୍କୁ ଗିରଫ ନକରିବା ହାଇକୋର୍ଟରେ ଅଭିଯୋଗ ହୋଇଛି । ଏହି ଘଟଣାର ଅନେକ ସାକ୍ଷୀ ଥାଇମଧ୍ୟ ଅପରାଧିକଙ୍କୁ ଗିରଫ କରିବା ବଦଳରେ ସେମାନଙ୍କୁ ଖୁଲାମଖୁଲା ଛାଡ଼ିଦେଇଛି ସ୍ଥାନୀୟ ପୋଲିସ । ଯେତେବେଳେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ଏହି ହତ୍ୟା ଘଟଣାକୁ ନେଇ ଘେରିଥିଲେ । ସେତେବେଳେ ପୋଲିସ ତରବରିଆ ଭାବେ ଅପରାଧୀଙ୍କ କିଛି ସମ୍ପର୍କୀୟଙ୍କୁ ଗିରଫ କରି ହତ୍ୟାକାରୀ ସଜାଇଦେଇଥଲା । ସ୍ଥାନୀୟ ପୋଲିସ ପ୍ରକୃତ ଅପରାଧୀଙ୍କ ପରିଚୟ ଜାଣିମଧ୍ୟ ସେମାନଙ୍କୁ ଗିରଫ କରୁନାହିଁ । ତେବେ ଏନେଇ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସ୍ତ୍ରୀ ଲିପିକା ବେହେରା ହାଇକୋଟରେ ଅଭିଯୋଗ କରିବା ସହ ସାକ୍ଷୀଙ୍କ ସୁରକ୍ଷାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏହାସହ ଲିପିକା କହିଛନ୍ତି, ଯଦି କେହି ବ୍ୟକ୍ତି ଅପରାଧୀ ଲୁଚୁଥିବା ସ୍ଥାନ ସମ୍ୱନ୍ଧରେ ସୂଚନା ଦେଉଛି ତେବେ ପୋଲିସ ତୁରନ୍ତ ସେ ସ୍ଥାନରେ ନପହଞ୍ଚି ବିଳମ୍ବ କରି ପହଞ୍ଚୁଛି ଫଳରେ ଅପରାଧୀ ସେସ୍ଥାନରୁ ସହଜରେ ଖସି ପଳାଇ ଯାଉଛନ୍ତି ।

ସୂଚନା ଅନୁଯାୟୀ, ସାକ୍ଷୀଗୋପାଳର ପଟ୍ଟନାୟକିଆ ଛକ ନିକଟରେ ଦୁଇ ସପ୍ତାହ ତଳେ ରବିବାର ଦିନ ସନ୍ଧ୍ୟାରେ ରାସ୍ତା ଉପରେ ତିନି ଜଣ ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହତ୍ୟା କରାଯାଇଥିଲା । ମୃତକମାନେ ସଦାନନ୍ଦପୁରର ଗୋଟିଏ ପରିବାରର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା । ସେମାନେ ପଟ୍ଟନାୟକିଆକୁ କୌଣସି କାର୍ଯ୍ୟ ପାଇଁ ଆସିଥିବାବେଳେ ଦୋକାନରେ ଲୁଚି ରହିଥିବା କିଛି ଦୁର୍ବୃତ୍ତ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ହିଁ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିଲା ।

Leave a comment