ଉତ୍ତର କୋରିଆ ଇଣ୍ଟରନେଟକୁ ବନ୍ଦ କଲା ଆମେରିକା ନାଗରିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକଛତ୍ରବାଦୀ ଉତ୍ତର କୋରିଆକୁ ପାଣି ପିଆଇ ଦେଇଛନ୍ତି ଆମେରିକାର ଜଣେ ନାଗରିକ । ଏହି ଯୁବକ ଘରେ ବସି ସାରା ଦେଶର ଇଣ୍ଟରନେଟ ସେବାକୁ ଦୋହଲାଇ ଦେଇଛି। ତେବେ ଏହି ସାଇବର ଆଟାକ ପଛରେ ରହିଛି ପୂର୍ବ ଶତ୍ରୁତା। ଉତ୍ତର କୋରିଆ ହ୍ୟାକିଂ ଟୁଲ ପାଇବା ପାଇଁ ପାଶ୍ଚାତ୍ୟ ଦେଶର ସୁରକ୍ଷା ସମ୍ପର୍କିତ ଗବେଷଣା କେନ୍ଦ୍ର ଏବଂ ସାଇବର ଏକ୍ସପର୍ଟଙ୍କୁ ଟାର୍ଗେଟ କରିଥିଲା । ଏହି ସମୟରେ ଅନେକଙ୍କୁ ଟାର୍ଗେଟ କରିଥିଲା ଉତ୍ତର କୋରିଆ । ଏମାନଙ୍କ ମଧ୍ୟରେ ଥିବା ଜଣେ ଆମେରିକାର ନାଗରିକ ଏହାକୁ ବ୍ୟକ୍ତିଗତ ଭାବେ ନେବା ସହ ଉତ୍ତର କୋରିଆକୁ ଉଚିତ ଯବାବ ଦେବାକୁ ସ୍ଥିର କରିଥିଲେ ।
ଆମେରିକାର ଏହି ହ୍ୟାକର ପ୍ରାୟ ଗୋଟିଏ ବର୍ଷର ଅପେକ୍ଷା ପରେ ପ୍ରତିଶୋଧ ନେଇଛନ୍ତି । ଉତ୍ତର କୋରିଆ କରିଥିବା ସାଇବାର ଆଟାକ ଉପରେ ଆମେରିକା କେଉଁ ପଦକ୍ଷେପ ଗ୍ରହଣ କରୁଛି ତାହାର ଅପେକ୍ଷାରେ ସେ ଥିଲେ। କିନ୍ତୁ ଆମେରିକା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ, ସେ ନିଜେ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲେ।
ଡାନିଏଲ ଅଫ ସର୍ଭିସ (DoS) ଜରିଆରେ ଉତ୍ତର କୋରିଆର ନେଟୱାର୍କ ଏବଂ ସର୍ଭରକୁ ଟାର୍ଗେଟ କରିଥିଲେ ଆମେରିକାର ଏହି ସାଇବର ହ୍ୟାକର । ଏହି ଆକ୍ରମଣ ସ୍ୱଂୟଚାଳିତ। ସମୟ ଅନୁସାରେ କେଉଁ ସିଷ୍ଟମ ଅନଲାଇନ ଅଛି ତାହାର ସୂଚନା ପାଇ ଏହାକୁ ହ୍ୟାକ କରିଥୁଲେ, ଯାହା ସଫଳ ମଧ୍ୟ ହୋଇଥିଲା । ଏହି ସାଇବର ଆଟାକ ସମୟରେ ଦେଶର ଅଧିକାଂଶ ୱେବସାଇଟ ଅକାମୀ ହୋଇଯାଉଥିବା ବିଶେଷଜ୍ଞମାନେ ଦେଖିବାକୁ ପାଇଥିଲେ । ତେବେ କୌଣସି ଦେଶ କିମ୍ୱା ଏହାର ନାଗରିକଙ୍କୁ ଟାର୍ଗେଟ କରିବା ଲକ୍ଷ୍ୟ ନଥିଲା ବୋଲି ଆମେରିକାର ଏହି ହ୍ୟାକର କହିଛନ୍ତି ।