ମନଚାହିଁ ସଭାପତି ପାଇଲେ ପ୍ରସାଦ ବିରୋଧୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରସାଦ କହିବା ଅନୁଯାୟୀ ଓଡ଼ିଶା କଂଗ୍ରେସର ନବକଳେବର ହୋଇଛି ମାତ୍ର ଏଥର ବ୍ରହ୍ମ ମଧ୍ୟ ବଦଳିଛି। ବିଳମ୍ବରେ ହେଉପଛେ ପ୍ରାସଦ ବିରୋଧୀଙ୍କ ମନସ୍କାମନା ପୂରଣ ହୋଇଛି। ବଦଳିଛନ୍ତି ପିସିସି ସଭାପତି । ଅନେକ ଦିନର ଅପେକ୍ଷାର ଅନ୍ତ ଘଟିଛି।
ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀ । ସେହିପରି ଚିରଞ୍ଜିବୀ ବିଶ୍ୱାଳ, ନବ କିଶୋର ଦାଶ ଓ ପ୍ରଦୀପ ମାଝୀଙ୍କୁ ପିସିସିର କାର୍ଯ୍ୟକାରୀ ସଭାପତି କରାଯାଇଛି । ଅନ୍ୟପଟେ କଳାହାଣ୍ଡିର ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।
ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତାମାନଙ୍କର ରାଜ୍ୟରେ ଦଳକୁ କିପରି ସୁଦୃଢ କରାଯିବ ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା ।
ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଭକ୍ତ ଚରଣ ଦାସ, ଚିରଞ୍ଜିବୀ ବିଶ୍ୱାଳ, ନବ କିଶୋର ଦାଶ, ପ୍ରଦୀପ ମାଝୀ ପ୍ରମୁଖଙ୍କ ସହ ଓଡ଼ିଶା ରାଜନୀତି ନେଇ ଆଲୋଚନା କରିଥିଲେ । କଂଗ୍ରେସକୁ କିଭଳି ସଂଗଠିତ କରାଯାଇପାରିବ ସେନେଇ ରାହୁଲ ପଚାରି ବୁଝିଥିଲେ ।
ତେବେ ସମସ୍ତ ନେତାମାନେ ପିସିସି ପରିବର୍ତନ ନେଇ ମତ ଦେଇଥିଲେ । ସେହିପରି ଅନେକ ନେତା ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେଲେ କଂଗ୍ରେସରରେ ସୁଦୃଢ଼ ହୋଇପାରିବ ବୋଲି ମତ ଦେଇଥିଲେ । ଏହା ପରେ ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି ।