ନେପାଳ ବିମାନ ଦୁର୍ଘଟଣା ଘଟଣା; ମୃତ ସଂଖ୍ୟା ୬୮କୁ ବୃଦ୍ଧି, ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ନେପାଳ ୟେତି ଏୟାରଲାଇନ୍ସର ଏକ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଥିରେ ଯାତ୍ରା କରୁଥିବା ୬୮ ଜଣ ଯାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସେହି ବିମାନରେ ୭୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ ଓ ସେମାନଙ୍କ ମଧ୍ୟରେ ୫ ଜଣ ଭାରତୀୟ ଥିଲେ। ନେପାଳ ବେସାମରିକ ବିମାନ ଚଳାଚଳ ବିଭାଗ ସୂଚନା ଅନୁଯାୟୀ, ଦୁର୍ଘଟଣା ସମୟରେ ପାଗ ନିର୍ମଳ ଥିଲା। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି। ଗତ ୩ ଦଶନ୍ଧି ମଧ୍ୟରେ ହିମାଳୟ ନିକଟବର୍ତ୍ତୀ କ୍ଷୁଦ୍ର ଦେଶଭିତରେ ଏହା ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା।
ନେପାଳରେ ଘଟିଥିବା ବିମାନ ଦୁର୍ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ଶ୍ରୀ ଜୟଶଙ୍କର ସମବେଦନା ଜଣାଇଛନ୍ତି। ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଘଟଣାରେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
ନେପାଳର ପୋଖରା ବିମାନବନ୍ଦରର ଆଜି ଘଟିଥିବା ଦୁର୍ଘଟଣା ପରେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମାତ୍ର ୨ ସପ୍ତାହ ତଳେ ଉଦଘାଟନ ହୋଇଥିବା ଏହି ବିମାନବନ୍ଦର ଚୀନ ସହାୟତାରେ ନିର୍ମାଣ ହୋଇଥିଲା ଓ ନେପାଳର ନୂଆ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏହାକୁ ଉଦଘାଟନ କରିଥିଲେ।
ତଦନ୍ତ କମିଟି ଗଠିତ ଓ ଦିନିକିଆ ରାଷ୍ଟ୍ରୀୟ ଶୋକ
ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ୬୮ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ନେପାଳ ସରକାର ଆସନ୍ତାକାଲି ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାର କାରଣ ଖୋଜିବା ପାଇଁ ନେପାଳ ସରକାର ଏକ ୫ ଜଣିଆ କମିଟି ଗଠନ କରିଛନ୍ତି।
ଏହି ଦୁର୍ଘଟଣାରେ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ୨ଟି ହେଲ୍ପଲାଇନ ନମ୍ବର ଜାରି କରିଛି।
ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଟିଆର୭୨ ବିମାନରେ ଟର୍ବୋପ୍ରପ ଟ୍ୱିନ ଇଂଜିନ ଥିଲା ଓ ଏହାକୁ ଏୟାରବସ ଏବଂ ଇଟାଲୀର ଲିଓନାର୍ଡୋ କମ୍ପାନୀ ମିଳିତ ଭାବେ ନିର୍ମାଣ କରିଥିବା ଜଣାପଡିଛି। ଫ୍ଲାଇଟ ଟ୍ରାକିଙ୍ଗ ୱେବସାଇଟ ଫ୍ଲାଇଟରାଡ଼ାର୨୪ର ସୂଚନା ଅନୁଯାୟୀ ଏହି ବିମାନଟି ୧୫ ବର୍ଷ ପୁରୁଣା ଥିଲା ଓ ଏଥିରେ ଲାଗିଥିବା ଟ୍ରାନ୍ସପଣ୍ଡର ଅତ୍ୟନ୍ତ ପୁରୁଣା ହୋଇଥିବାରୁ ତାହା ଭରସା ଯୋଗ୍ୟ ନ ଥିଲା।
ସୂଚନା ଅନୁଯାୟୀ ଏହି ବିମାନରେ ୫ ଜଣ ଭାରତୀୟ, ୪ ରୁଷୀୟ, ୨ ଦକ୍ଷିଣ କୋରିଆ ଓ ଜଣେ ଲେଖାଏଁ ଅଷ୍ଟ୍ରେଲିଆ, ଫ୍ରାନ୍ସ ଓ ଆର୍ଜେଣ୍ଟିନାର ଅଧିବାସୀ ଯାତ୍ରା କରୁଥିଲେ।