ନୀଳମାଧବ ପୀଠର ହେବ ନବକଳେବର – ୫-ଟି ସଚିବ
ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ଓ ସମଲେଶ୍ୱରୀ ମନ୍ଦିର ପରେ ଏବେ ରାଜ୍ୟ ସରକାର କଣ୍ଟିଲୋ ସ୍ଥିତ ନୀଳମାଧବ ପୀଠର ଉନ୍ନତୀକରଣ ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । ଆଜି ନିଜେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭିକେ ପାଣ୍ଡିଆନ୍ ନୀଳମାଧବ ପୀଠ ପରିଦର୍ଶନ କରି ଏହାର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ପାଣ୍ଡିଆନ୍ ଆଜି କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ ସ୍ଥାନୀୟ ଲୋକ ଓ ସେବାୟତମାନଙ୍କ ସହିତ ଆଲୋଚନା କରିଥିଲେ ।
ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଏକ ପ୍ରସିଦ୍ଧ ଧାର୍ମିକ ପର୍ଯ୍ୟଟନସ୍ଥଳୀ । ମହାନଦୀ କୂଳରେ ନୀଳମାଧବ ପୀଠର ଶୋଭା ଅତ୍ୟନ୍ତ ମନୋରମ । ୫-ଟି କାର୍ଯ୍ୟକ୍ରମରେ ଏହି ପୀଠର ବିକାଶ କରି ଅଧିକ ପର୍ଯ୍ୟଟକଙ୍କୁ ସେଠାକୁ କିପରି ଆକୃଷ୍ଟ କରାଯାଇପାରିବ, ସେ ସମ୍ପର୍କରେ ସରକାର ପଦକ୍ଷେପ ନେଉଛନ୍ତି । ଏହା ସହିତ ଏଠାକୁ ଆସୁଥିବା ଭକ୍ତମାନଙ୍କ ସୁବିଧା ପାଇଁ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ । ଏଥିନିମନ୍ତେ ଖୁବ୍ଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ । ଏଥିପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ଏହି ପରିଦର୍ଶନ ସମୟରେ ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ, ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।